Categories: ଖେଳ

ଇଂଲଣ୍ଡ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ଖେଳିବେ ଭାରତୀୟ ମହିଳା

ନୂଆଦିଲ୍ଲୀ,୧୯।୫(ପି.ଟି.): ଦୁଇଟି ବଡ଼ ଦଳ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଦଳ ଆସନ୍ତା ମାସରେ ଟେଷ୍ଟ ଖେଳିବ। ଇଂଲଣ୍ଡରେ ଗୋଟିଏ ଟେଷ୍ଟ ଖେଳିବା ପରେ ଅଷ୍ଟ୍ରେଲିଆରେ ମଧ୍ୟ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିବ। ଭାରତ ଦୀର୍ଘ ୭ ବର୍ଷ ପରେ ଜୁନ୍‌ ୧୬ ତାରିଖରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳିବାକୁ ଯାଉଛି। ଏହାପରେ ଅଷ୍ଟ୍ରେଲିଆ ଗସ୍ତରେ ଗୋଟିଏ ଟେଷ୍ଟ ଖେଳିବା ସହ ଭାରତ ଦିନିକିଆ ଓ ଟି୨୦ ମ୍ୟାଚ୍‌ ମଧ୍ୟ ଖେଳିବ।
ଭାରତ ଏହାପୂର୍ବରୁ ଶେଷଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୬ରେ ଟେଷ୍ଟ ଖେଳିଥିଲା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମହିଳା ଦଳ ଏବେ ମଧ୍ୟ ଟେଷ୍ଟ ଖେଳୁଛି। ତେଣୁ ଭାରତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ଗଲେ କିମ୍ବା ଏହି ଦୁଇ ଦଳ ଭାରତ ଆସିଲେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅବଶ୍ୟ ଭାରତର ଅଷ୍ଟ୍ରେଲିଆ ଗସ୍ତ ନେଇ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ତେବେ ଅଷ୍ଟ୍ରେଲିଆ ମହିଳା ଦ୍ରୁତ ବୋଲର ମେଗାନ ସ୍କଟ୍‌ ସେପ୍ଟେମ୍ବର ମଝିରେ ସିରିଜ ଆୟୋଜନ ନେଇ ଯୋଜନା କରାଯିବା କଥା ପୂର୍ବରୁ କହି ସାରିଛନ୍ତି। ବୁଧବାର ଭାରତୀୟ ଦଳର ସଦସ୍ୟାମାନେ ମୁମ୍ବାଇରେ ଏକାଠି ହେବେ ଓ ବ୍ରିଟେନ ଗସ୍ତ କରିବେ। ବ୍ରିଷ୍ଟଲରେ ଏକମାତ୍ର ଟେଷ୍ଟ ଖେଳାଯିବ ଓ ଏହାପରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ଖେଳାଯିବ। ୟୁନାଇଟେଡ କିଙ୍ଗ୍‌ଡମ ଯାତ୍ରା କରିବା ପୂର୍ବରୁ ଭାରତୀୟ ଖେଳାଳିମାନେ ଦୁଇ ସପ୍ତାହ କ୍ୱାରାଣ୍ଟାଇନରେ ରହିବେ।

Share