Categories: ଖେଳ

ଇଣ୍ଡିଆନ ସୁପରଲିଗ୍‌: ଓଡ଼ିଶା ଏଫ୍‌ସିର ୬ଷ୍ଠ ପରାଜୟ

ଭାସ୍କୋ, ୪।୧- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସିର ଦୟନୀୟ ପ୍ରଦର୍ଶନ ଜାରି ରହିଛି। ଭୁବନେଶ୍ୱରଭିତ୍ତିକ ଏହି ଦଳ ରବିବାର ଇଷ୍ଟବେଙ୍ଗଲ ନିକଟରୁ ୧-୩ ଗୋଲରେ ହାରି ଯାଇଛି। ୮ ମ୍ୟାଚରୁ ଓଡ଼ିଶା ଏଫ୍‌ସିର ଏହା ୬ଷ୍ଠ ପରାଜୟ। ଅନ୍ୟପକ୍ଷରେ ପ୍ରଥମଥରପାଇଁ ଆଇଏସ୍‌ଏଲ୍‌ରେ ପଦାର୍ପଣ କରିଥିବା ଇଷ୍ଟବେଙ୍ଗଲ ଅନ୍ୟ ଦଳଗୁଡ଼ିକ ବିପକ୍ଷରେ ସଂଘର୍ଷ କରୁଥିବାବେଳେ ଓଡ଼ିଶା ଦଳ ବିପକ୍ଷରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ହାଇଦ୍ରାବାଦ୍‌ ଏଫ୍‌ସି ନିକଟରୁ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଏଫସି୍‌ ପରେ ଜାମଶେଦପୁର ଏଫ୍‌ସି ବିପକ୍ଷରେ ମ୍ୟାଚ ଡ୍ର ରଖିଥିଲା। ଏହାପରେ କ୍ରମାଗତ ୪ ମ୍ୟାଚରେ ଯଥାକ୍ରମେ ଏଟିକେ ମୋହନବାଗାନ, ମୁମ୍ବାଇ ସିଟି ଏଫ୍‌ସି, ଗୋଆ ଏବଂ ବେଙ୍ଗାଲୁରୁ ଏଫ୍‌ସି ନିକଟରୁ ପରାସ୍ତ ହୋଇଥିଲା। ୭ମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ ବିପକ୍ଷରେ ମ୍ୟାଚ ଡ୍ର ରଖିଥିବାବେଳେ ଏବେ ପୁଣି ଇଷ୍ଟବେଙ୍ଗଲଠାରୁ ପରାଜୟ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛି। ଦଳ ମାତ୍ର ୨ ପଏଣ୍ଟ ପାଇ ଲଜ୍ଜାଜନକଭାବେ ଟେବୁଲର ନିମ୍ନରେ ପଡ଼ି ରହିଛି। ଦଳ ମାତ୍ର ୬ଟି ଗୋଲ ଦେଇଥିବାବେଳେ ୧୪ ଗୋଲ ବରଣ କରିଛି। ଅନ୍ୟପକ୍ଷରେ ପ୍ରଥମ ବିଜୟ ହାସଲ କରିଥିବା ଇଷ୍ଟବେଙ୍ଗଲ ୮ ମ୍ୟାଚରୁ ୬ ପଏଣ୍ଟରେ ପହଞ୍ଚତ୍ଥିଲେ ହେଁ ୧୦ମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ରବିବାର ଇଷ୍ଟବେଙ୍ଗଲ ପକ୍ଷରୁ ଆନ୍ଥୋନୀ ପିଲ୍‌କିଙ୍ଗଟନ ୧୨ ଓ ଜ୍ୟାକ୍ସ ମାଘୋମା ୩୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ୮୮ତମ ମିନିଟରେ ବ୍ରାଇଟ୍‌ ଇନୋବାଖାରେ ଆଉ ଏକ ଗୋଲ ଦେଇଥିବାବେଳେ ଇଞ୍ଜୁରି ଟାଇମ୍‌ରେ ଓଡ଼ିଶା ଏଫ୍‌ସିର ଡିଏଗୋ ମୌରିସିଓ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହାଥିଲା ଆଇଏସ୍‌ଏଲ୍‌ରେ ୧୦୦ତମ ଗୋଲ। ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ବିଜୟୀ ଦଳର ସୁରଚନ୍ଦ୍ର ସିଂ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ଆନ୍ଥୋନୀ ପିଲ୍‌କିଙ୍ଗ୍‌ଟନ୍‌ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।

Share