Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁ- ହାଇଦ୍ରାବାଦ୍‌ ମ୍ୟାଚ ଡ୍ର’

ଫାଟୋର୍ଡା,୨୯।୧୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ବେଙ୍ଗାଲୁରୁ ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ଗୋଆର ଫାଟୋର୍ଡା ଷ୍ଟାଡିୟମରେ ଖେଳଯାଇଥିବା ଏହି ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରତି ସମୟ ଓ ୪ ମିନିଟ୍‌ର ଇଞ୍ଜୁରି ଟାଇମ୍‌ ପରେ ରେଫରି ଫାଇନାଲ ହ୍ବିସିଲ ମାରିଥିଲେ। କିନ୍ତୁ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ହାଇଦ୍ରାବାଦ୍‌ ଆଗରେ ରହିଥିଲେ ମଧ୍ୟ ଗୋଲ ଦେଇ ପାରି ନ ଥିଲା। ଉଭୟ ଦଳକୁ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ଗୋଲ ଶୂନ୍ୟ ଭାବେ ମ୍ୟାଚ୍‌ ଶେଷ ହୋଇଥିଲା। ଏଥିସହ ହାଇଦ୍ରାବାଦ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ବେଙ୍ଗାଲୁରୁ ୨ଟି ମ୍ୟାଚ୍‌ ଖେଳି ୨ଟି ଡ୍ର ସହ ୨ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି।
ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ହାଇଦ୍ରାବାଦ୍‌ ଗୋଟିଏ ପଏଣ୍ଟ ପାଇଥିବାରୁ ସନ୍ତୁଷ୍ଟ ହୋଇ ନ ଥିବ। ବେଙ୍ଗାଲୁରୁ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଗୋଲପୋଷ୍ଟକୁ ହାଇଦ୍ରାବାଦ ଖେଳାଳି ୭ଟି ଶଟ୍‌ ମାରିଥିବା ବେଳେ ବେଙ୍ଗାଲୁରୁ ଖେଳାଳି ମାତ୍ର ଗୋଟିଏ ଶଟ୍‌ ମାରିଥିଲେ। ପୂର୍ବତନ ଚାମ୍ପିୟନ ବେଙ୍ଗାଲୁରୁର ଖେଳ ଆଶାନୁରୂପ ହୋଇ ପାରି ନ ଥିଲା। ଗତ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ୧-୦ ଗୋଲରେ ଓଡ଼ିଶା ଏଫ୍‌ସିକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଅନ୍ୟପଟେ ଗତ ରବିବାର ବେଙ୍ଗାଲୁରୁ ଓ ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ହାଇଦ୍ରାବାଦ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ବୁଧବାର ଜାମଶେଦପୁରକୁ ଭେଟିବ। ସେହିପରି ବେଙ୍ଗାଲୁରୁ ଡିସେମ୍ବର ୪ ତାରିଖ ଶୁକ୍ରବାର ଚେନ୍ନାଇନ ଏଫ୍‌ସିକୁ ଭେଟିବ।

Share