Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ବିଜୟଧାରକୁ ଫେରିଲା ନର୍ଥଇଷ୍ଟ

ଭାସ୍କୋ,୧୮।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ୨-୧ ଗୋଲରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ଏଥିସହିତ ନର୍ଥଇଷ୍ଟ ୭ଟି ମ୍ୟାଚ୍‌ ପରେ ବିଜୟୀ ହୋଇଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମୁକାବିଲାରେ ଜାମସେଦପୁର ପ୍ରଭାବ ବିସ୍ତାର କରି ଖେଳିଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲା। ନର୍ଥଇଷ୍ଟ ତରଫରୁ ଆଶୁତୋଷ ମେହେଟ୍ଟା ୩୬ତମ ମିନିଟ୍‌ରେ ପ୍ରଥମ ଗୋଲ ଦେଇଥିଲେ। ଏହାପରେ ଜାମାଇକା ଫରଓ୍ବାର୍ଡ ଡେସହର୍ନ ବ୍ରାଉନ ୬୧ ତମ ମିନିଟ୍‌ରେ ଗୋଲ ଦେଇ ନର୍ଥଇଷ୍ଟକୁ ୨-୦ରେ ଅଗ୍ରଣୀ କରାଇଥିଲେ। ନିର୍ଦ୍ଧାରିତ ସମୟ ଶେଷ ହେବାର ଗୋଟିଏ ମିନିଟ୍‌ ପୂର୍ବରୁ ଜାମସେଦପୁର ତରଫରୁ ଇଂଲଣ୍ଡ ଡିଫେଣ୍ଡର ପିଟର ହାର୍ଟଲି ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏଥିସହ ୧୨ଟି ମ୍ୟାଚ ଖେଳି ୩ ବିଜୟ, ୬ ଡ୍ର ଓ ୩ ପରାଜୟ ସହ ୧୬ ପଏଣ୍ଟ ହାସଲ କରି ନର୍ଥଇଷ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପଟେ ୧୨ ମ୍ୟାଚ ଖେଳି ୩ ବିଜୟ, ୪ ଡ୍ର ଓ ୫ ପରାଜୟ ସହ ୧୩ ପଏଣ୍ଟ ପାଇ ଜାମସେଦପୁର ଅଷ୍ଟମ ସ୍ଥାନରେ ରହିଛି।

ଏଟିକେ ମୋହନ ବାଗାନ- ଗୋଆ ମ୍ୟାଚ ଡ୍ର
ମାର୍ଗାଓ,୧୮।୧: ଆଇଏସ୍‌ଏଲ୍‌ରେ ରବିବାର ଏଫ୍‌ସି ଗୋଆ ଓ ଏଟିକେ ମୋହନ ବାଗାନ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଏଟିକେ ତରଫରୁ ୭୫ତମ ମିନିଟ୍‌ରେ ସ୍ପାନିଶ ଫୁଟବଲର ଏଡୁ ଗାର୍ସିଆ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ୮୪ତମ ମିନିଟ୍‌ରେ ଇଶାନ ପଣ୍ଡିତ ଗୋଆ ତରଫରୁ ଗୋଲ ଦେଇ ମ୍ୟାଚକୁ ୧-୧ ସମାନସ୍ତରକୁ ଆଣିଥିଲେ। ୪ ମିନିଟ୍‌ର ଇଞ୍ଜୁରି ଟାଇମ ଖେଳ ହୋଇଥିଲେ ମଧ୍ୟ ଆଉ ଗୋଲ ସ୍କୋର ହୋଇପାରି ନ ଥିଲା। ଫଳରେ ମ୍ୟାଚ ଅମୀମାଂସିତ ରହିଥିଲା। ଏଥିସହ ଗୋଆ ୧୨ ମ୍ୟାଚ ଖେଳି ୫ ବିଜୟ, ୪ ଡ୍ର ଓ ୩ ପରାଜୟ ସହ ୧୯ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଏଟିକେ ୧୧ ମ୍ୟାଚ ଖେଳି ୬ ବିଜୟ, ୩ ଡ୍ର ଓ ୨ ପରାଜୟ ସହ ୨୧ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି।

Share