Categories: ଖେଳ

ଆର୍ଜେଣ୍ଟିନାକୁ ୪-୨ରେ ହରାଇଲା ଭାରତ

ବୁଏନ୍ସ ଆରିଜ, ୧୫।୪(ପି.ଟି.)- ବିଜୟ ସହ ଭାରତୀୟ ହକି ଦଳ ଏହାର ଆର୍ଜେଣ୍ଟିନା ଗସ୍ତ ଶେଷ କରିଛି। ବୁଧବାର ଅନୁଷ୍ଠିତ ୪ର୍ଥ ତଥା ଅନ୍ତିମ ଅଭ୍ୟାସ ଗେମ୍‌ରେ ଭାରତ ଅଲିମ୍ପିକ୍‌ ଚାମ୍ପିୟନ ଆର୍ଜେଣ୍ଟିନାକୁ ୪-୨ ଗୋଲରେ ପରାସ୍ତ କରିଛି। ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା ଭାରତ ରୂପିନ୍ଦରପାଲ ସିଂଙ୍କ ୩ୟ ମିନିଟ ଗୋଲ ବଳରେ ଅଗ୍ରଣୀ ନେଇଥିଲା। ୧୨ତମ ମିନିଟରେ ଜସକରନ ସିଂ ଏହାକୁ ଡବଲରେ ପରିଣତ କରିଥିଲେ। ୧୪ତମ ମିନିଟରେ ଲିଆଣ୍ଡ୍ରୋ ଟୋଲିନି ଗୋଟିଏ ଗୋଲ ପରିଶୋଧ କରିବାରୁ ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ୩ୟ କ୍ୱାର୍ଟର ମଧ୍ୟ ବେଶ୍‌ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିଥିଲା। ଶେଷ କ୍ୱାର୍ଟରରେ ରୋମାଞ୍ଚକ ଖେଳ ଦେଖିବାକୁ ମିଳିଥିଲା। ଭାରତୀୟ ଦଳର ଓଡ଼ିଶା ଖେଳାଳି ଶିଳାନନ୍ଦ ଲାକ୍ରା ୫୦ତମ ମିନିଟରେ ଗୋଟିଏ ଗୋଲ ଦେଇ ଦଳର ଅଗ୍ରଣୀ ବ୍ୟବଧାନକୁ ବଢ଼ାଇଥିଲେ। ୫୪ତମ ମିନିଟରେ ଘରୋଇ ଦଳର ପେଦ୍ରୋ ଲିବାରା ଗୋଟିଏ ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ। ତେବେ ମ୍ୟାଚ ଶେଷ ହେବାର ୨ ମିନିଟ ପୂର୍ବରୁ ଅର୍ଥାତ୍‌ ୫୮ତମ ମିନିଟରେ ସୁରେନ୍ଦର କୁମାର ଗୋଟିଏ ଗୋଲ ଦେଇ ଭାରତ ବିଜୟକୁ ପକ୍କା କରିଥିଲେ।

Share