ସ୍ବାଧୀନଚେତା ବିଚାରପତି

ପକେଟରେ ମାତ୍ର ୧୦ ଟଙ୍କା ଧରି ଟ୍ରକ୍‌ରେ ମାଉସୀ ଘରକୁ ପଳାଇଯିବା ପାଇଁ ତାଙ୍କୁ ପିତା ପରାମର୍ଶ ଦେଇଥିଲେ। ୧୯୭୫ ମସିହାରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଚାରିଆଡ଼େ କୋକୁଆଭୟ ଜାତ ହୋଇଥିଲା ଯେ, ପୋଲିସ ଯେତେବେଳେ ଯାହାକୁ ଚାହିଁବ ଗିରଫ କରିନେବ। ୧୮ ବର୍ଷର ପଢ଼ୁଆ ସ୍ବାଧୀନଚେତା ଯୁବକ ହୋଇଥିବାରୁ ଆବେଗକୁ କାଳେ ଚାପି ନ ରଖି ସରକାରଙ୍କ ବିରୋଧରେ କ’ଣ କହିଦେବ, ସେହି ଚିନ୍ତା ପିତାଙ୍କୁ ଘାରିଥିଲା। ଚାଷୀ ପରିବାର ଲୋକ ହୋଇଥିବାରୁ ତାଙ୍କର ପୋଲିସ, କୋର୍ଟ କଚେରିକୁ ପ୍ରବଳ ଭୟ। ଯେଉଁ ପୁଅର ଭବିଷ୍ୟତ ପାଇଁ ପିତା ଦିନେ ସନ୍ଦିହାନ ଥିଲେ, ସେ ୨୪ ଏପ୍ରିଲ ୨୦୨୧ରେ ଭାରତର ୪୮ତମ ପ୍ରଧାନ ବିଚାରପତି (ସିଜେଆଇ) ହେବାକୁ ଯାଉଛନ୍ତି। ନ୍ୟାୟପାଳିକାରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ଆଗରେ ଯେତେ ବାଧାବିଘ୍ନ ଆସିଲେ ବି ଜଷ୍ଟିସ୍‌ ନୁଥାଲାପତି ଭେଙ୍କେଟ ରମନାଙ୍କ ବ୍ୟକ୍ତିତ୍ୱଙ୍କୁ ନିରେଖିଲେ ନିଶ୍ଚିତ ସଳଖି ଛିଡ଼ା ହେବା ପାଇଁ ପ୍ରେରଣା ପାଇବେ।
ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲାର ପୋନାଭରମ୍‌ଠାରେ ଜଷ୍ଟିସ୍‌ ରମନା ୨୭ ଅଗଷ୍ଟ ୧୯୫୭ରେ ଜନ୍ମଗ୍ରହଣ କରିଥିଲେ। ଆଇନ ପାଠ ଶେଷ କରିବା ପରେ ସେ ୧୦ ଫେବୃୟାରୀ ୧୯୮୩ରେ ଆଇନଜୀବୀ ଭାବେ ନାମ ପଞ୍ଜୀକରଣ କରିଥିଲେ। ଆନ୍ଧ୍ରପ୍ରଦେଶ ହାଇକୋର୍ଟ, କେନ୍ଦ୍ରୀୟ ତଥା ଆନ୍ଧ୍ରପ୍ରଦେଶ ପ୍ରଶାସନିକ ଟ୍ରିବ୍ୟୁନାଲ ଓ ପରେ ସୁପ୍ରିମ୍‌କୋର୍ଟରେ ଆଇନ ବ୍ୟବସାୟ କରି ଖ୍ୟାତି ଅର୍ଜନ କରିଥିଲେ। ଦଓ୍ବୋନି, ଫୌଜଦାରି, ସାମ୍ବିଧାନିକ, ଶ୍ରମ, ସେବା ଏବଂ ନିର୍ବାଚନ ସଂକ୍ରାନ୍ତ ମାମଲା ପରିଚାଳନାରେ ତାଙ୍କର ଯଥେଷ୍ଟ ଦକ୍ଷତା ରହିଛି। ଆଇନର ଜଟିଳ ସଂଜ୍ଞାକୁ ବୁଝାଇବାରେ ସ୍ବକୀୟ ପ୍ରତିଭା ତାଙ୍କୁ ସରକାରୀ ପ୍ୟାନେଲ କାଉନସେଲ୍‌ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲା। ସେ ମଧ୍ୟ ଆନ୍ଧ୍ରପ୍ରଦେଶର ଅତିରିକ୍ତ ଆଡ୍‌ଭୋକେଟ ଜେନେରାଲ ରହିଥିଲେ। ଟିକସ, ସମ୍ବିଧାନ, ଆର୍ବିଟ୍ରେଶନ ଏବଂ ଫୌଜଦାରି ଆଇନ ଉପରେ ତାଙ୍କର ଐତିହାସିକ ରାୟ ବରିଷ୍ଠ ଆଇନ ବିଶାରଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ବିଚାରପତି ଭାବେ ତାଙ୍କ କ୍ୟାରିୟରକୁ ଦେଖିଲେ ସେ ୨୭ ଜୁନ୍‌ ୨୦୦୦ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ନିଯୁକ୍ତ ହୋଇଥିଲେ। ୨ ସେପ୍ଟେମ୍ବର ୨୦୧୩ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ହେବାର ସୌଭାଗ୍ୟ ମିଳିଥିଲା। ପରବର୍ତ୍ତୀ ସମୟରେ ୧୭ ଫେବୃୟାରୀ ୨୦୧୪ରେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହୋଇଥିଲେ। ୨୩ ଏପ୍ରିଲ ୨୦୨୧ରେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଅବସର ନେବା ପରେ ଜଷ୍ଟିସ୍‌ ରମନା ସର୍ବୋଚ୍ଚ ଅଦାଲତର ଶୀର୍ଷ ପଦବୀ ମଣ୍ଡନ କରିବେ। ଜଷ୍ଟିସ୍‌ ବୋବ୍‌ଡେ ବରିଷ୍ଠତା ଭିତ୍ତିରେ ରମନାଙ୍କ ନାମ ସରକାରଙ୍କୁ ସୁପାରିସ କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଚର୍ଚ୍ଚିତ ହୋଇଛି। ୨୦୨୦ ଜାନୁୟାରୀରେ ଜଷ୍ଟିସ୍‌ ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁକଶ୍ମୀରରେ ଜାରି ଦୀର୍ଘକାଳୀନ କଟକଣା ପଛର ଗୋପନୀୟତା ସାମ୍ନାକୁ ଆଣିଥିଲେ। କେନ୍ଦ୍ର ସରକାର ନେଉଥିବା ପ୍ରତ୍ୟେକ ପଦକ୍ଷେପ ୭୦ ଲକ୍ଷ କଶ୍ମୀରୀଙ୍କ ମୌଳିକ ସ୍ବାଧୀନତାକୁ ପଙ୍ଗୁ କରିଦେଇଛି। ତେଣୁ ସରକାର ସମସ୍ତ ନିର୍ଦ୍ଦେଶନାମା ପ୍ରକାଶ କରନ୍ତୁ ବୋଲି ଜଷ୍ଟିସ ରମନା ରାୟ ଦେଇଥିଲେ। ଏଥିରୁ ତାଙ୍କ ସ୍ବାଧୀନଚେତା ବିଚାରବୋଧ ପ୍ରତିଫଳିତ ହୋଇଛି। ଅବଶ୍ୟ ଗତ କିଛିମାସ ହେବ ତାଙ୍କ ସାଧୁତା ଉପରେ ପ୍ରଶ୍ନ ଉଠିଥିଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ୭ ଅକ୍ଟୋବର ୨୦୨୦ରେ ସିଜେଆଇ ଏସ୍‌.ଏ. ବୋବ୍‌ଡେଙ୍କ ନିକଟକୁ ପତ୍ର ଲେଖି ରମନାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ଜଷ୍ଟିସ୍‌ ରମନା ତାଙ୍କ ସରକାରରେ ଅସ୍ଥିରତା ସୃଷ୍ଟି କରିବା ସକାଶେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବିଚାରପତିଙ୍କୁ ପ୍ରଭାବିତ କରୁଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ସପକ୍ଷରେ ଯାଇ ବର୍ତ୍ତମାନ ନିର୍ବାଚିତ ସରକାର ବିରୋଧରେ କାର୍ଯ୍ୟ କରୁଥିବା ଜଗନ୍‌ମୋହନ ଉକ୍ତ ପତ୍ରରେ ଉଲ୍ଲେଖ କରିଥିଲେ। ତେବେ ୨୪ ମାର୍ଚ୍ଚ ୨୦୨୧ରେ ରେଡ୍ଡୀଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ସୁପ୍ରିମ୍‌କୋର୍ଟଙ୍କ ଇନ୍‌ହାଉସ୍‌ ଶୁଣାଣିରେ ଖାରଜ ହେବା ପରେ ଜଷ୍ଟିସ୍‌ ରମନାଙ୍କ ଉଚ୍ଚପଦବୀରେ ଆସୀନ ହେବା ଲାଗି ପଥ ପରିଷ୍କାର ହୋଇଯାଇଛି।
ଆଜିର ସମୟରେ ଭାରତୀୟ ନ୍ୟାୟପାଳିକାର ଭୂମିକା ଉପରେ ବିଭିନ୍ନ ଆଡୁ ପ୍ରଶ୍ନ କରାଗଲାଣି। ସମୟ ଥିଲା, କୋର୍ଟ ବିରୋଧରେ କହିଲେ କନ୍‌ଟେମ୍ପଟ୍‌ ଅଫ୍‌ କୋର୍ଟ ବା ଅଦାଲତ ଅବମାନନା ଭାବେ ତାହାକୁ ବିବେଚନା କରାଯାଉଥିଲା। ଏବେ ମଧ୍ୟ ଅନେକ ଗମ୍ଭୀର ବିଷୟରେ ଅଦାଲତକୁ ସମାଲୋଚନା କଲେ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି। ତଫାତ୍‌ ଏହା ଯେ, ସୋସିଆଲ ମିଡିଆର ବ୍ୟାପକ ପ୍ରସାର ସାଧାରଣ ନାଗରିକଙ୍କୁ ତଥ୍ୟ ଜାଣିବା ଏବଂ ଭୁଲ୍‌ ଓ ଠିକ୍‌କୁ ତର୍ଜମା କରିବାର ପ୍ରମୁଖ ମଞ୍ଚ ସୃଷ୍ଟି କରିଦେଇଛି। ତେଣୁ ନ୍ୟାୟପାଳିକାର ଭୁଲ୍‌ଭଟକା ଦେଖିଲେ ଅନେକେ ସମାଲୋଚନା କରିଦେଉଛନ୍ତି। ଏଭଳି ସ୍ଥଳେ ବିଚାରପତିଙ୍କ ସ୍ବଚ୍ଛତା ବଜାୟ ରଖିବା ଅଧିକ ଗୁରୁତ୍ୱ ବହନ କରୁଛି। ଅନ୍ୟପକ୍ଷରେ ଦେଶର ନିମ୍ନ ଅଦାଲତରୁ ସର୍ବୋଚ୍ଚ ଅଦାଲତ ଯାଏ ପ୍ରାୟ ୨କୋଟିରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ରହିଛି। ଦାୟିତ୍ୱ ଗ୍ରହଣଠାରୁ ୨୬ ଅଗଷ୍ଟ ୨୦୨୨ ଯାଏ ଜଷ୍ଟିସ ରମନା ଦେଶର ପ୍ରଧାନ ବିଚାରପତି ରହିବା ମଧ୍ୟରେ ନ୍ୟାୟ ବ୍ୟବସ୍ଥାରେ କିଛି ନୂତନତ୍ୱ ଆଣିବେ ବୋଲି ଆଶା କରାଯାଉଛି। ଗାଁର କୃଷକ ପରିବାରରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଭାରତର ପ୍ରତ୍ୟେକ ସ୍ଥିତିକୁ ପରଖିବା ଲାଗି ଜୀବନବ୍ୟାପୀ ଅଭିଜ୍ଞତା ନିଶ୍ଚିତ ସହାୟକ ହେବ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri