ନୂଆଦିଲ୍ଲୀ, ୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ୱିଲ ୟଙ୍ଗ ଚମତ୍କାର ଶତକୀୟ ପାଳି ଖେଳିଛନ୍ତି। ତେବେ ତାଙ୍କୁ ମାତ୍ର ୫ ରନରେ ଦୁଇଟି ଜୀବନଦାନ ମିଳିଥିଲା। ଲଗାତାର ଦୁଇଟି ବଲରେ ରୋହିତ ଶର୍ମା ଏବଂ ଈଶାନ କିଶନ ଆକିବ ନବୀଙ୍କ ବଲରେ ସହଜ କ୍ୟାଚ ଛାଡ଼ିଥିଲେ। ଏହାର ପୂରା ଫାଇଦା ଉଠାଇଥିଲେ ୱିଲ ୟଙ୍ଗ। ପରବର୍ତ୍ତୀ ସମୟରେ ଦମଦାର ବ୍ୟାଟିଂ କରି ଶତକ ହାସଲ କରିବା ସହ ନ୍ୟୁଜିଲାଣ୍ଡର ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ।
ଏହି ମ୍ୟାଚରେ ୱିଲ ୟଙ୍ଗ ନିଜ ଦିନିକିଆ କ୍ୟାରିୟରର ପଞ୍ଚମ ଶତକ ହାସଲ କରିଛନ୍ତି। ସେ ଟିମ ସିଫର୍ଟଙ୍କ ସହ ଓପନିଂ କରିବାକୁ ଆସିଥିଲେ। ତେବେ ପ୍ରାରମ୍ଭିକ ଓଭରରେ ଭାରତୀୟ ବୋଲରମାନେ ନୂଆ ବଲ୍ରେ ଭଲ ସୁଇଂ ଓ ମୁଭମେଣ୍ଟ ପାଉଥିବାରୁ ସେ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏହି ସମୟରେ ବଲ ତାଙ୍କ ବ୍ୟାଟରେ ଏଜ ନେଇଥିଲେ ମଧ୍ୟ ଭାଗ୍ୟ ତାଙ୍କ ସାଥ ଦେଇଥିଲା।
ଟିମ ସିଫର୍ଟ ପିଚ୍ରେ ଥିବା ପର୍ଯ୍ୟନ୍ତ ଦ୍ରୁତ ଗତିରେ ରନ ସଂଗ୍ରହ କରୁଥିଲେ। ଅନ୍ୟପଟେ ୱିଲ ୟଙ୍ଗ ତାଙ୍କୁ ଷ୍ଟ୍ରାଇକ ଦେବା ଉପରେ ଅଧିକ ଧ୍ୟାନ ଦେଇଥିଲେ। ତେବେ ସିଫର୍ଟ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଯାଇଥିଲେ। ଏହାପରେ ନ୍ୟୁଜିଲାଣ୍ଡର ନିୟମିତ ଉଇକେଟ୍ ପତନ ହୋଇଥିଲେ ମଧ୍ୟ ୱିଲ ୟଙ୍ଗ ଗୋଟିଏ ପଟେ ଦୃଢ଼ ଭାବେ ଜମି ରହିଥିଲେ।
ଏହି ସମୟରେ ଚତୁର୍ଥ ଉଇକେଟ୍ ପାଇଁ ଫିନ ଆଲେନଙ୍କ ସହ ମିଶି ଏକ ଦମଦାର ଭାଗୀଦାରି ଗଢ଼ିଥିଲେ। ଆଲେନ ଆଉଟ ହେବା ପରେ ମଧ୍ୟ ସେ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖି ନିଜ ଶତକ ପୂରଣ କରିଥିଲେ। ୧୧ଟି ଚୌକା ଓ ୩ଟି ଛକା ସହ ସେ ଏହି ଶତକ ହାସଲ କରିଥିଲେ।
ନ୍ୟୁଜିଲାଣ୍ଡ ପାଳିର ଦ୍ୱିତୀୟ ଓଭର ବୋଲିଂ କରିବାକୁ ଆସିଥିଲେ ଆକିବ ନବୀ। ଓଭରର ପଞ୍ଚମ ବଲ୍ରେ ୱିଲ ୟଙ୍ଗଙ୍କ ବ୍ୟାଟର ବାହାର ପାର୍ଶ୍ୱରେ ବଲ ବାଜି ପ୍ରଥମ ସ୍ଲିପରେ ଥିବା ରୋହିତ ଶର୍ମାଙ୍କ ପାଖକୁ ଯାଇଥିଲା। ଏହା ଏକ ସହଜ କ୍ୟାଚ ଥିଲା। ବଲଟି ଭଲ ଉଚ୍ଚତାରେ ରୋହିତଙ୍କ ପାଖକୁ ଆସିଥିଲା ଏବଂ ସେ ହାତ ବଢ଼ାଇଥିଲେ ମଧ୍ୟ କ୍ୟାଚ ଧରିବାରେ ବିଫଳ ହୋଇଥିଲେ।
ଏହାର ପରବର୍ତ୍ତୀ ବଲରେ ମଧ୍ୟ ୱିଲ ୟଙ୍ଗଙ୍କୁ ବ୍ୟାଟର ବାହାର ପାର୍ଶ୍ୱରେ ବଲ ବାଜିଥିଲା। ଏଥର ବଲଟି ପ୍ରଥମ ସ୍ଲିପ ଓ ଉଇକେଟ୍କିପରଙ୍କ ମଝିରେ ଯାଇଥିଲା। ଈଶାନ କିଶନ ଡାଇଭ ମାରି କ୍ୟାଚ ଧରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ହାତରୁ ମଧ୍ୟ ବଲ ଖସିଯାଇଥିଲା। ଏହିପରି ମାତ୍ର ଦୁଇଟି ବଲରେ ୱିଲ ୟଙ୍ଗଙ୍କୁ ଲଗାତାର ଦୁଇଟି ଜୀବନଦାନ ମିଳିଥିଲା। ଯାହାର ଫାଇଦା ଉଠାଇ ସେ ଶତକୀୟ ପାଳି ଖେଳି ନ୍ୟୁଜିଲାଣ୍ଡକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।

