ଆମ ଗଣତନ୍ତ୍ର କାହା ହାତରେ

ଡ. ପବିତ୍ର ସୁବୁଦ୍ଧି

ଆଗକୁ ଆସୁଛି ଆମ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ନିର୍ବାଚନୀ ଆବହାଓ୍ବାରେ ସାରା ରାଜ୍ୟ ଏବେ ଆଚ୍ଛନ୍ନ। ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇ ଭାଗ୍ୟ ପରୀକ୍ଷା କରିବାକୁ ଅଗଣିତ ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ପ୍ରାର୍ଥୀ ଏବେ ତୟାର୍‌। ମଦ ମାଂସ, ଭୋଜିଭାତ ଓ ଅର୍ଥର ଚାଲିଛି ଅବାଧ କାରବାର। ପ୍ରାର୍ଥୀମାନେ ଏସବୁ ପ୍ରଦାନରେ ଯେତିକି ତତ୍ପର, ଭୋଟରମାନେ ଏସବୁକୁ ପ୍ରସାଦ ପରି ଗ୍ରହଣ କରିବାରେ ସେତିକି ଆଗଭର। ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଆମ ଭାରତ। ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଅନୁଯାୟୀ ନିଜକୁ ନିଜେ ଶାସନ କରିବା ହେଉଛି ଗଣତନ୍ତ୍ରର ସ୍ବାତନ୍ତ୍ର୍ୟ। ଗ୍ରାମପଞ୍ଚାୟତ ହେଉଛି ଏହି ବିଧିବ୍ୟବସ୍ଥାର ପ୍ରଥମ ପ୍ରୟୋଗଶାଳା। ଗଣତାନ୍ତ୍ରିକ ଶାସନ ପଦ୍ଧତି ଅନୁସାରେ ପ୍ରତ୍ୟେକ ଭାରତୀୟ ନାଗରିକ ଗୋଟିଏ ସର୍ବଶ୍ରେଷ୍ଠ ରାଜନୈତିକ ଅଧିକାର ପ୍ରାପ୍ତ ହୋଇଛନ୍ତି। ତାହା ହେଉଛି- ପ୍ରାର୍ଥୀ ନିର୍ବାଚନରେ ଭୋଟଦାନର କ୍ଷମତା। ନାଗରିକତ୍ୱର ଅଧିକାର ବଳରେ ପ୍ରାପ୍ତ ଏହି ଭୋଟ୍‌ଦାନ କ୍ଷମତାର ଯଥାଯଥଃ ଉପଯୋଗ ହେଉଛି ପ୍ରତ୍ୟେକ ଭୋଟରଙ୍କର ଚରମ ଓ ପରମ କର୍ତ୍ତବ୍ୟ। ଏଣୁ ନିର୍ଭୟରେ ଭୋଟ୍‌ଦେଇ ମନପସନ୍ଦର ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ଆମ୍ଭମାନଙ୍କର ଗଣତାନ୍ତ୍ରିକ ଦାୟିତ୍ୱ। ତେବେ ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି- ଭୋଟ୍‌ କାହାକୁ ଦେବା?
ଏ ପ୍ରସଙ୍ଗରେ ପ୍ରାଚୀନ ଗ୍ରୀକ୍‌ ସଭ୍ୟତାର କିମ୍ବଦନ୍ତୀଟିଏ ମନେପଡୁଛି। ଭୂମଧ୍ୟସାଗରର ଏକ ଦ୍ୱୀପରେ ସର୍ସ ନାମ୍ନୀ ଏକ ସୁନ୍ଦରୀ ତରୁଣୀର ରାଜତ୍ୱ ଥିଲା। ସର୍ସ ନିଜର କୁହୁକଶକ୍ତି ବଳରେ ସେ ଦ୍ୱୀପକୁ ଆସୁଥିବା ମଣିଷଙ୍କୁ ବିଭିନ୍ନ ପ୍ରକାରର ପଶୁରେ ରୂପାନ୍ତରିତ କରୁଥିଲା। ଫଳରେ ସେ ଦ୍ୱୀପରେ ପାଦ ଦେଉଥିବା ବହୁ ବୀରପୁରୁଷ ନିଜର ଅତୀତ ଓ ଭବିଷ୍ୟତକୁ ଭୁଲିଯାଇ, ଲକ୍ଷ୍ୟ ଓ ଆଭିମୁଖ୍ୟକୁ ଜଳାଞ୍ଜଳି ଦେଇ କେବଳ ଖାଇ, ପିଇ, ଶୋଇ ପଶୁଭଳି ଜୀବନଯାପନ କରୁଥିଲେ। ସର୍ସର ମାୟା କୁହେଳିକାରୁ ମୁକ୍ତି ପାଇଁ ଆଦୌ ବାଟ ଖୋଜୁ ନ ଥିବା ମହାପ୍ରତାପୀ ବାହୁବଳୀମାନେ ଏବେ ଯୋଡ଼ହସ୍ତରେ ନତମସ୍ତକ ହୋଇ ଭୋଟ୍‌ଭିକ୍ଷା କରିବାକୁ ଜନତା ଜନାର୍ଦ୍ଦନଙ୍କ ଆଗରେ ଠିଆ। ରାମଦ୍ରୋହୀ ଯେତେବେଳେ ଯତିବେଶରେ ରାମନାମ ଭଜେ, ଜାଣିବ ଯେ ସୀତାଚୋରି ବେଳ ଆସିଗଲା। ଆମେ ଭୋଟରମାନେ ବେଳ ହୁଁ ସାବଧାନ ନ ହେଲେ, ଚାଷୀ ହୁଡ଼ିଲେ ବରଷେ ଭଳି ଭୋଟର ହୁଡ଼ିଲେ ପାଞ୍ଚବରଷ ପାଇଁ ପସ୍ତେଇବାକୁ ପଡ଼ିବ।
ଏବେ ଗଁାଦାଣ୍ଡରେ ନେତାଙ୍କ ଭିଡ଼। ଯେଉଁ ଦେଶରେ ଦିନେ ନେତାଜୀ ସୁଭାଷ କହିଥିଲେ- ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି, ସେହି ନେତାଜୀଙ୍କ ଦେଶରେ ଏବେ ଜନତା ମାଗୁଛି- ମୋତେ ଟଙ୍କା ଦିଅ, ମୁଁ ତୁମକୁ ଭୋଟ୍‌ ଦେବି। ଏହା କ’ଣ କମ୍‌ ଲଜ୍ଜା? ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳଜୀ ଏକଦା କହିଥିଲେ, ”ଜନତାଙ୍କୁ ମାଗଣାରେ କିଛି ଦିଅ ନାହିଁ। କେବଳ ଶିକ୍ଷା, ସ୍ବାସ୍ଥ୍ୟ ଓ ନ୍ୟାୟ ମାଗଣାରେ ମିଳିବା ଦରକାର। ମାଗଣା ପାଉଥିବା ଲୋକ ନିଜକୁ କାମଚୋର ଆଉ ଦେଶକୁ କମ୍‌ଜୋର ବନାନ୍ତି।“ କିିନ୍ତୁ ଏ କଥାକୁ ପଚାରୁଛି କିଏ? ”ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ଼, ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼“ର ଗୀତ ଗାଇ ଗାଇ ନେତାଏ ଏବେ ଭୋଟରଙ୍କ ଆଗରେ ଠିଆ। ସମସ୍ତେ କାନ୍ଦୁଛନ୍ତି ଗରିବଙ୍କ ପାଇଁ, କିନ୍ତୁ କାହାରି ଆଖିରେ ଲୁହ ନାହିଁ। ବାଦ-ବିବାଦ, ଫନ୍ଦିଫିକର କରି ଭୋଟ୍‌ ହାତେଇବା ପାଇଁ ସମସ୍ତେ ବ୍ୟସ୍ତ। ହାତୀ ନେ, ଘୋଡ଼ା ନେ, ମୋ ପେଁକାଳି ବଜେଇ ଦେ। ଭୋଟ୍‌ ପରେ ତୁ କିଏ ନା ମୁଁ କିଏ ? ଓଠରେ ନକଲି ହସ, ମୁହଁରେ ମୁଖା, ପାଟିରେ ‘ଭୋଟ ଭିକ୍ଷାଂ ଦେହି’ର ଧ୍ୱନି। ବିଚରା ଭୋଟର ଦୁର୍ନୀତିର ଦୁର୍ଗ ଭିତରେ ଭ୍ରଷ୍ଟାଚାରୀଙ୍କୁ ସଲାମ ଜଣାଉଛି ବାରବାର। ମଦମାଂସ ଓ କିଛି ଟଙ୍କା ବଦଳରେ ବନ୍ଧାପକେଇ ଦଉଛି ତା’ର ଅସ୍ମିତା ଓ ସ୍ବାଭିମାନ। ମଦମାଂସର ଆସର ଭିତରେ ହଜିଯାଉଛି ସ୍ବଚ୍ଛ ଓ ଅବାଧ ନିର୍ବାଚନ। ଗୌଣ ହୋଇଯାଉଛି ନିର୍ବାଚନୀ ପ୍ରସଙ୍ଗ। କପଟପାଶାରେ ଏବେ ଶକୁନିମାନଙ୍କ ଜିତାପଟ।
ଭାଗବତ ଟୁଙ୍ଗିରେ ଏବେ ତାଲା, ଗଁା କ୍ଲବ ଘର ମେଲା। କ୍ଲବ ଘରେ ଚାଲିଛି ଭୋଟ୍‌ ନଁାରେ ନିରୀହ ମଣିଷକୁ ବାଣ୍ଟିବାର ମନ୍ତ୍ରଣା। ଅଶାନ୍ତିର ବୀଜ ବୁଣା ସରିଲାଣି ଗଁା ଗଁାରେ। ଗଁା ଦାଣ୍ଡରେ ବୋମା ଫୁଟିବ। ଶାନ୍ତ ଗଁା ଅଶାନ୍ତ ହେବ। ଭାଇ ଭାଇ ଭିତରେ ଲଢ଼େଇ ଚାଲିବ। ଟୋକା, ବୋକା ଓ ଟଙ୍କାକୁ ଅସ୍ତ୍ର କରି ମାରିନେବେ ମହାପାତ୍ରେ, ଆମେ ଚାହିଁଥିବା ଜଳକା। ଆମେ ଗରିବ ଯେଉଁ ତିମିରେ କୁ ସେଇ ତିମିରେ। ଡାକ୍ତରଖାନା ଅଛି- ଡାକ୍ତର ନାହାନ୍ତି, ସ୍କୁଲ ଅଛି- ଶିକ୍ଷକ ନାହାନ୍ତି, ଅଫିସ ଅଛି-ଅଫିସର ନାହାନ୍ତି, ତଥାପି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଚାଲିଛି। ଯୋଜନା ପରେ ଯୋଜନା ଚାଲିଛି। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଇନ୍ଦିରାଆବାସ ଓ ବିପିଏଲ୍‌ କାର୍ଡଟିଏ ପାଇଁ ଲାଞ୍ଚ ନେଉଥିବା ନେତାଏ ଏବେ ଦୁର୍ନୀତିମୁକ୍ତ ଭାରତ ପାଇଁ ନାରା ଦେଉଛନ୍ତି। ଶାବଳ ଚୋରି କରି ଛୁଞ୍ଚତ୍ଦାନ କରୁଥିବା ଧନକୁବେରମାନେ ଏବେ ସାମ୍ୟବାଦର ମନ୍ତ୍ର ପଢୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସେବାରୁ ବଞ୍ଚତ୍ତ, ଲାଞ୍ଛିତ, ଅବହେଳିତ ମଣିଷ ଛଦ୍ମବେଶୀ ଏ ଦେଶ ସେବକଙ୍କ ଜୟଜୟକାରରେ କିନ୍ତୁ ଉତ୍‌ଫୁଲ୍ଲ! ଏହାଠୁ ବଳି ବଡ଼ ବିଡ଼ମ୍ବନା ଗଣତନ୍ତ୍ରରେ ଆଉ ବା କ’ଣ ଥାଇପାରେ?
ମେଣ୍ଢାମାନଙ୍କର ଏକ ସଭା ହେଉଥାଏ। ସଭାରେ ରାଜନେତାମାନେ କଥା ଦେଲେ ଯେ ଏ ଶୀତରୁ ରକ୍ଷାପାଇବା ପାଇଁ ସବୁ ମେଣ୍ଢାଙ୍କୁ ଗୋଟେ ଗୋଟେ କମ୍ବଳ ଦେବେ। ମେଣ୍ଢାମାନେ ଏ କଥା ଶୁଣି ଖୁସିରେ ନାଚି ଉଠିଲେ। ଆଉ ସମସ୍ତେ ନେତାଙ୍କ ଜୟଜୟକାର କଲେ। ଏ କଥା ଦେଖି ମେଣ୍ଢାଛୁଆଟେ ତା’ ମାଆକୁ ପଚାରିଲା- ନେତା ଆମକୁ ଦେବାକୁ ଯାଉଥିବା କମ୍ବଳ ପାଇଁ ଏତେ ଉଲ୍‌ କେଉଁଠୁ ଆଣିବେ? ତା’ ପରେ ସମସ୍ତେ ଚୁପ୍‌। ଯଦି ଏହି ପ୍ରଶ୍ନ ଭୋଟରମାନେ ଏବେ ସବୁ ରାଜନୀତି ଦଳକୁ ପଚାରନ୍ତେ ଯେ ମାଗଣା ଚାଉଳ, ଚିନି, ଗହମ, ଛତା, ଜୋତା, ମୋବାଇଲ ଓ ସାଇକେଲ ଆଦି କେଉଁଠୁ ଆଣିକି ଦେବେ? ଏଥିପାଇଁ ଟଙ୍କା ଆସିବ କେଉଁଠୁ?
ଆମେ ଭୋଟର। ଆମେ ସ୍ବାଧୀନ। ଆମର ଦଳ ନାହିଁ। ଆମ ହାତରେ ଏବେ ଭୋଟ ବ୍ରହ୍ମାସ୍ତ୍ର। ଏ ଅସ୍ତ୍ର ବଳରେ ବହୁରୂପୀଙ୍କ ମୁଖା ଖୋଲିଦେବାର ବେଳ ଆସିଛି। ଭୋଟଦେବା ପୂର୍ବରୁ ଭଲକରି ଚିହ୍ନିନେବା ଭ୍ରାତାଙ୍କ ବଦନ। କୁମ୍ଭୀର କାନ୍ଦଣାରେ କାନ ଦେବାନାହିଁ। ମିଥ୍ୟା ପ୍ରଲୋଭନରେ ପ୍ରଭାବିତ ହେବାନାହିଁ। ନଚେତ୍‌ ସାମ୍ୟବାଦ ନଁାରେ ଆମ ଅଲକ୍ଷ୍ୟରେ ଏକ ପୁଞ୍ଜିବାଦୀ ରାଷ୍ଟ୍ର ଗଠନ ହୋଇଯାଇପାରେ। ”ମଦ ଆଉ ମାଉଁସ, ମୁଣ୍ଡଗୋଟାକୁ ପାଅଁାଶ“ ଲୋଭରେ ଭଳି ନ ଯାଇ ରାଜନୈତିକ ସର୍ଦ୍ଦାର ଓ ଘୋଡ଼ାବେପାରୀଙ୍କ ଅସଲ ସ୍ବରୂପକୁ ଉତ୍‌ଖାତ୍‌ କରିବା। ସ୍ବାଧୀନତାକୁ ସ୍ବେଚ୍ଛାଚାରରେ ପରିଣତ ନ କରି ଆମର ମହାମୂଲ୍ୟ ଅଧିକାର ଓ କର୍ତ୍ତବ୍ୟକୁ ସାମୟିକ ସଂକୀର୍ଣ୍ଣ-ସ୍ବାର୍ଥ-ଯଜ୍ଞରେ ଆହୁତି ନ ଦେଇ ବିନା ପ୍ରଲୋଭନରେ ମନପସନ୍ଦର ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଗଣତନ୍ତ୍ର ଶାସନର ଅନ୍ତୁଡ଼ିଶାଳ ବୋଲାଉଥିବା ପବିତ୍ର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସ୍ବଚ୍ଛ, ନିର୍ମଳ, ଲୋକାଭିମୁଖୀ ଓ ସଶକ୍ତ କରିବାରେ ସହାୟକ ହେବା।
ପିଠିରେ ବୋଝ, ଛାତିତଳେ ଘାଇ, ଋଣରେ ନଇଁଥିବା ମଥା ନେଇ ବଞ୍ଚୁଥିବା ହେ ଅଜସ୍ର ମଣିଷ! ନିର୍ବାଚନ ବେଳେ ତମେ ନିର୍ଣ୍ଣୟ କରିଦିଅ ଏ ସଂସାରରେ ମଣିଷ କିଏ, ଆଉ ସଇତାନ୍‌ କିଏ? ନିରୀହ ମଣିଷଙ୍କ ମଗଜକୁ କବ୍‌ଜା କରି ଶାସନଗାଦି ମାଡ଼ି ବସୁଥିବା ଦୁର୍ନୀତିଖୋର ପ୍ରାର୍ଥୀଙ୍କୁ ପାଟିଖୋଲି କହିଦିଅ-”ଆମେ ଧନତନ୍ତ୍ର ନୁହେଁ, ଗଣତନ୍ତ୍ର ଚାହୁଁ। ଭାଇ ଭାଇ ଭିତରେ ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାହୁଁ।“
ଏଣୁ ଆଗାମୀ ନିର୍ବାଚନରେ ଅଭିନେତା ନୁହେଁ, ନେତା ବାଛନ୍ତୁ, ନଚେତ କେବଳ ନାଟକହିଁ ଦେଖିବେ।
ମୋ: ୬୩୭୦୬୪୫୭୮୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri