ଏଇ ଭାରତରେ

ବିବାହ ସମସ୍ତଙ୍କ ଜୀବନର ଏକ ସ୍ବତନ୍ତ୍ର ମୁହୂର୍ତ୍ତ। ଏହାକୁ କିଏ କିଭଳି ପାଳନ କରିବେ ତାହା ସେମାନଙ୍କର ରୁଚି। କେହି ଏହାକୁ ଧୁମ୍‌ଧାମରେ ପାଳନ କରନ୍ତି ତ କେହି ନିଆରା ଭାବେ ମନାଇବାକୁ ଚାହିଁଥାନ୍ତି। ଏମିତି ଏକ ଭିନ୍ନ ଢଙ୍ଗରେ ପାଳନ କରିବା ଲାଗି ସ୍ଥିର କରୁଛନ୍ତି ରେଲଓ୍ବେ ଅଧିକାରୀ ଶଶିକାନ୍ତ କୋରଭାଥ। ବ୍ୟୟବହୁଳ ତଥା ପରିବେଶକୁ କ୍ଷତି କରୁଥିବା ଧାରାରୁ ଦୂରେଇ ଯାଇ ଶଶିକାନ୍ତ ତାଙ୍କ ନିମନ୍ତ୍ରଣ ପତ୍ରରେ ୬ ପ୍ରକାର ଗଛ ଉତାରିବା ଲାଗି ବ୍ୟବସ୍ଥା କରିଛନ୍ତି। ନିମନ୍ତ୍ରଣ କାର୍ଡରେ ୬ ପ୍ରକାର ଗଛର ମଞ୍ଜି ରଖିଛନ୍ତି। ନିମନ୍ତ୍ରଣ କାର୍ଡର ଲଫାପା ଚିରି ସେଥିରେ ଥିବା ୬ ପ୍ରକାର ପରିବା ମଞ୍ଜିକୁ ବୁଣିବାକୁ ଅନୁରୋଧ କରିଛନ୍ତି। ଏହି ଲଫାପାକୁ ମଧ୍ୟ ସିଧା ମାଟିରେ ପୋତି ଗଛ ଉତାରିହେବ। ଏହାକୁ କୁହାଯାଉଛି ପ୍ଲାଣ୍ଟେବଲ ଇନ୍‌ଭାଇଟ। ତେଲଙ୍ଗାନାର ଶଦନଗରରେ କାର୍ଯ୍ୟରତ ଇଣ୍ଡିଆନ୍‌ ରେଲଓ୍ବେ ଟ୍ରାଫିକ ସର୍ଭିସ(ଆଇଆର୍‌ଟିଏସ୍‌) ଶଶିକାନ୍ତ ଏଭଳି ଏକ ଗ୍ରୀନ୍‌ ବିବାହ ଆୟୋଜନ କରି ପରିବେଶର ଘଟୁଥିବା କ୍ଷତିକୁ ସୁଧାରିବା ପାଇଁ ପ୍ରୟାସ କରିଛନ୍ତି। ଦମ୍ପତି ସେମାନଙ୍କ ବିବାହ ଉତ୍ସବକୁ ବିନା ପ୍ଲାଷ୍ଟିକ୍‌ରେ ପାଳନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।