ଏଇ ଭାରତରେ

କର୍ପୋରେଟ ବିଶ୍ୱରେ ୧୬ ବର୍ଷ କଟାଇବା ପରେ ୨୦୧୬ରେ ଚାକିରି ଛାଡି କୃଷିକୁ ଆଦରି ନେଇଛନ୍ତି ମହାରାଷ୍ଟ୍ରର ଅନିଶ ଶାହା। ବର୍ଷକୁ ପାଖାପାଖି ୬୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଚାଷୀମାନଙ୍କୁ ବି ରୋଜଗାରର ବାଟ ଦେଖାଉଛନ୍ତି। ଅନିଶ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ବିଭିନ୍ନ ଖବରକାଗଜ ସଂସ୍ଥାରେ ମାର୍କେଟିଂରେ କାର୍ଯ୍ୟ କରିବା ପରେ ସେ କୃଷିକୁ ଆପଣାଇଛନ୍ତି। ଏବେ ସେ ଜଣେ ସଫଳ ଜୈବିକ କୃଷକ ଓ ଏଣ୍ଟରପ୍ରେନ୍ୟୁୟର ମଧ୍ୟ। ଅନିଶ ୩୦ ଏକର ଜମିରେ ବାଦାମ,ଗହମ,ହଳଦୀ,ବିନ୍‌, ଲଙ୍କା, ଆମ୍ବ, କାଜୁ ଆଦି ୨୦ ପ୍ରକାର ଫସଲ କରୁଛନ୍ତି। ମାଛ ଚାଷ ସହ କୁକୁଡା ଓ ଗୋ ପାଳନ ବି କରୁଛନ୍ତି। ମୁମ୍ବାଇରେ ରହୁଛନ୍ତି , କିନ୍ତୁ ତାଙ୍କ ଫାର୍ମ ରହିଛି ସିନ୍ଧୁଦୁର୍ଗରେ। ସେ କୃଷି ଉତ୍ପାଦକୁ ବିକ୍ରି କରିବା ପାଇଁ ‘ଆର୍ଥ ହାର୍ଭେଷ୍ଟ’ଫାର୍ମ ଖୋଲିଛନ୍ତି , ଯେଉଁଠାରୁ ଖାଉଟିମାନେ ତାହା କିଣୁଛନ୍ତି। ଫାର୍ମକୁ ଦୈନିକ ୪୦୦ରୁ ଊର୍ଦ୍ଧ୍ୱ ଖାଉଟି ଆସୁଛନ୍ତି। ସିନ୍ଧୁଦୁର୍ଗ ଓ ସତାର ଜିଲାର ଚାଷୀମାନେ ବି ଅନିଶଙ୍କ ଆର୍ଥ ହାଭେଷ୍ଟକୁ ପରିବା ଯୋଗାଇ ଲାଭବାନ ହେଉଛନ୍ତି। କୃଷକ ଓ ଖାଉଟିଙ୍କ ମଧ୍ୟରେ ମଧ୍ୟସ୍ଥଙ୍କ କାରବାରକୁ ରୋକିବା ପାଇଁ ଆର୍ଥ ହାର୍ଭେଷ୍ଟ ଗଠନ କରାଯାଇଛି ବୋଲି କୁହନ୍ତି ୪୩ ବର୍ଷୀୟ ଅନିଶ। କେବଳ ଏତିକି ନୁହେଁ ସେ ମଧ୍ୟ ଜୈବିକ ପରିବା ମଧ୍ୟପ୍ରାଚ୍ୟ ଓ ଇଂଲଣ୍ଡକୁ ରପ୍ତାନି କରୁଛନ୍ତି। ବିଭିନ୍ନ ପ୍ରକାର ଜୈବଖତ ଓ କୀଟନାଶକ ପ୍ରସ୍ତୁତ କରି ତାହା ବ୍ୟବହାର କରୁଛନ୍ତି।