ଏଇ ଭାରତରେ

ଉତ୍ତରପ୍ରଦେଶର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇବା ପରେ ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ଅବହେଳା ସାମ୍ନାକୁ ଆସିଛି। ୯୪ ପ୍ରତିଶତ ପାଇଥିବା ଜଣେ ଛାତ୍ରୀଙ୍କୁ ପ୍ରାକ୍ଟିକାଲରେ ୩୦ ପରିବର୍ତ୍ତେ ୩ ନମ୍ବର ଦିଆଯାଇଛି। ଫଳରେ ସେ ଫେଲ ହୋଇଛନ୍ତି। ଉକ୍ତ ଘଟଣା ଘଟିଛି ଆମେଠି ଜିଲାରେ। ଉତ୍ତରପ୍ରଦେଶ ବୋର୍ଡର ହାଇସ୍କୁଲ ଫଳାଫଳ ପ୍ରକାଶ ପାଇବା ପରେ ଆମେଠି ସହରର ଶିବ ପ୍ରତାପ ଇଣ୍ଟର କଲେଜର ହାଇସ୍କୁଲ ଛାତ୍ରୀ ଭାବନା ବର୍ମା ଏଭଳି ଅବହେଳାର ଶିକାର ହୋଇଛନ୍ତି। ଏନେଇ ଛାତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ତଦନ୍ତ ଦାବି କରିଛନ୍ତି। ଉକ୍ତ ଘଟଣା ଉପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମହେନ୍ଦ୍ର ଦେବ କହିଛନ୍ତି, ଟାଇପିଂ ତ୍ରୁଟି ଯୋଗୁ ଏହା ଘଟିଛି। ସେ କହିଛନ୍ତି, ପ୍ରାକ୍ଟିକାଲ ମାର୍କ ଆଧାରରେ ଛାତ୍ରୀଙ୍କ ଫଳାଫଳ ପୁଣି ଥରେ ପ୍ରସ୍ତୁତ କରାଯିବ। ତେବେ ବୋର୍ଡର ଏଭଳି ଅବହେଳା ଯୋଗୁ ଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।