ଏଇ ଭାରତରେ

ବିହାରରେ ଜଣେ ବ୍ୟକ୍ତି ନିଜକୁ ଜୀବିତ ସାବ୍ୟସ୍ତ କରିବା ପାଇଁ ଅଧିକାରୀଙ୍କୁ ଗୁହାରି କରୁଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ବଗାହ ଜିଲା ମଠିଆ ଗାଁର ବାସିନ୍ଦା ୬୦ ବର୍ଷ ବୟସ୍କ ଚାଷୀ ଅରବିନ୍ଦ ପ୍ରସାଦ ଶାହା। ନିଜକୁ ଜୀବନ୍ତ ପ୍ରମାଣ କରିବାକୁ ସେ ମାସ ମାସ ଧରି ସରକାରୀ କାର୍ଯ୍ୟାଳୟରେ ବୁଲି ଅଧିକାରୀଙ୍କୁ ଗୁହାରି କରୁଛନ୍ତି। ନିଜ ଭାଇ ତାଙ୍କୁ ମୃତ ଘୋଷଣା କରି ସମସ୍ତ ଜମି ହାତେଇ ନେଇଛନ୍ତି। ଏପରିସ୍ଥଳେ ଅରବିନ୍ଦ ଜୀବିତ ଥିବାର ପ୍ରମାଣ ଦେଖାଇ ନିଜ ଜମି ପାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଅରବିନ୍ଦଙ୍କୁ ଜୋନାଲ କାର୍ଯ୍ୟାଳୟ ତଥା ସ୍ଥାନୀୟ ରାଜସ୍ବ କାର୍ଯ୍ୟାଳୟ ମୃତ ଘୋଷଣା କରିଥିଲେ। ସେ ଜୋନାଲ ଅଫିସଠାରୁ ସବ୍‌ଡିଭିଜନାଲ ଅଫିସ ପର୍ଯ୍ୟନ୍ତ ଜୀବିତ ଥିବା ପ୍ରମାଣ କରିବାରେ ବ୍ୟସ୍ତ ଅଛନ୍ତି। ତାଙ୍କ ଭାଇଙ୍କଠାରୁ ଲାଞ୍ଚ ନେଇ ରାଜସ୍ବ କାର୍ଯ୍ୟାଳୟର ଜଣେ କର୍ମଚାରୀ ଏହି କାର୍ଯ୍ୟ କରିଥିବା ଅରବିନ୍ଦ ପ୍ରସାଦ ଅଭିଯୋଗ କରିଛନ୍ତି। ଅରବିନ୍ଦ କହିଛନ୍ତି, ଗତ ତିନିମାସ ହେଲା ମୁଁ ମୋର ଜୀବନ୍ତ ପ୍ରମାଣ ପାଇଁ ସର୍କଲ ଏବଂ ସବ୍‌ଡିଭିଜନାଲ ଅଫିସରେ ବୁଲୁଛି, କିନ୍ତୁ କୌଣସି ଶୁଣାଣି ହୋଇନାହିଁ। ଏଥିସହିତ ଏହି ମାମଲାରେ ସର୍କଲ ଅଧିକାରୀ ଅଭିଷେକ ଆନନ୍ଦ କହିଛନ୍ତି, ସମଗ୍ର ଘଟଣାର ତଦନ୍ତ ପରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ଥାନୀୟ ରାଜସ୍ବ କର୍ମଚାରୀଙ୍କ ଦ୍ୱାରା ତାଙ୍କୁ ମୃତ ଘୋଷଣା କରାଯାଇ ଜମିରୁ ବେଦଖଲ କରି ଦିଆଯାଇଥିଲା ଏବଂ ଜୋନାଲ ଅଫିସରେ ଅରବିନ୍ଦଙ୍କ ଆବେଦନକୁ କିପରି ଅଣଦେଖା କରାଯାଇଥିଲା, ତାହା ଏବେକାର କାର୍ଯ୍ୟପାଳିକା ଉପରେ ପ୍ରଶ୍ନ ଉଠାଇଛି।