ଏଇ ଭାରତରେ

ପିଲାମାନେ ଦେଶର ଭବିଷ୍ୟତ। ସେମାନେ ସୁସ୍ଥ ଓ ନୀରୋଗ ରହିଲେ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ,ଏ କଥା ହୃଦୟଙ୍ଗମ କରିଛନ୍ତି ଦିଲ୍ଲୀ ନିବାସୀ ସିଙ୍ଗଲ୍‌ ମଦର ସରିତା କଶ୍ୟପ। ସେ ଅସହାୟ ପିଲାମାନଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି। ୧୯ ବର୍ଷ ଧରି ଏକ ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ସେଲସ୍‌ମ୍ୟାନ ଭାବେ କାର୍ଯ୍ୟ କରିଥିଲେ। ୨୦୧୯ ଜାନୁୟାରୀରୁ ଚାକିରି ଛାଡି ‘ଅପନା ପନ ରାଜମା ଚାଓ୍ବାଲ’ ନାମକ ଅସ୍ଥାୟୀ ଷ୍ଟଲ୍‌ ଖୋଲି ରାସ୍ତାରେ ବୁଲୁଥିବା ଭୋକିଲା ତଥା ଜରି ଗୋଟାଳି ପିଲାଙ୍କୁ ଖାଇବାକୁ ଦେଉଛନ୍ତି। କେବଳ ଏତିକି ନୁହେଁ ସେ ମଧ୍ୟ ଗୃହହୀନ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି। ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମିତ ସରିତା ପିଲାବେଳୁ ବହୁ ଘାତପ୍ରତିଘାତରେ ବଢିଛନ୍ତି। ଏଣୁ କୌଣସି ପିଲା ସେଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ ସେହି ଲକ୍ଷ୍ୟରେ ସେ ଏଭଳି ସେବା ଯୋଗାଉଛନ୍ତି। ପଶ୍ଚିମ ଦିଲ୍ଲୀର ପୀରଗଡିରେ ଏକ ଅସ୍ଥାୟୀ ଷ୍ଟଲ୍‌ରେ ଭୋକିଲା ପିଲାମାନଙ୍କୁ ଖାଇବାକୁ ଦେଉଛନ୍ତି। ଦିଲ୍ଲୀ ଯେତେବେଳେ ଶୋଇଥାଏ ସରିତା ତାଙ୍କ କାମ ଆରମ୍ଭ କରିଥାନ୍ତି। ଭୋର ୪ଟାରୁ ଉଠି ଘରକାମ ଶେଷ କରି ପାଖାପାଖି ୧୦୦ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି। ପରେ ତାଙ୍କ ସ୍କୁଟରରେ ମରିରାବାଗରୁ ନେଇ ପୀରଗଡି ବସ୍‌ଡିପୋ ନିକଟରେ ପହଞ୍ଚିଯାଆନ୍ତି। ସେ ସେଠାରେ ୩ରୁ ୪ ଘଣ୍ଟା ରହି ପିଲାମାନଙ୍କୁ ଖାଇବାକୁ ଦିଅନ୍ତି। କଶ୍ୟପ ଏଥିପାଇଁ ସବୁ ଖର୍ଚ୍ଚ ବହନ କରୁଛନ୍ତି। ଯେଉଁ ଲୋକମାନେ ମୂଲ୍ୟ ଦେଇ ଖାଇବାକୁ ସକ୍ଷମ ସେମାନେ ଅଧ ପ୍ଲେଟକୁ ୪୦ ଓ ପୂରା ପ୍ଲେଟକୁ ୬୦ ଟଙ୍କା ଦେଇ ଖାଉଛନ୍ତି।