ଏଇ ଭାରତରେ

ଅଭାବ ଭିତରେ ଶିକ୍ଷା ଦେବାର ଦୃଢ଼ ଇଚ୍ଛାଶକ୍ତି ଆସାମର ଉତ୍ତମ ଟେରୋନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଉତ୍ତମ ତାଙ୍କ ଗୁହାଳକୁ କ୍ଲାସ୍‌ରୁମରେ ପରିଣତ କରି ଅସହାୟ ପିଲାଙ୍କୁ ମାଗଣାରେ ପଢ଼ାଇବା ଆରମ୍ଭ କରିଥିଲେ ୨୦୦୩ରେ। ସେତେବେଳେ ତାଙ୍କ ପାଖରେ ମାତ୍ର ୮୦୦ ଟଙ୍କା ଥିଲା। ତେବେ ଏହିି କଥା ପ୍ରଚାର ହୋଇଯିବା ଦ୍ୱାରା ଆଖପାଖ ଗାଁରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପଠାଇଲେ। ପିଲାସଂଖ୍ୟା ବଢ଼ିଚାଲିଲା। ତାଙ୍କର ସେହି ପ୍ରୟାସ ଏବେ ସଫଳ ହୋଇଛି ଓ ତାଙ୍କର ସେହି ଗୁହାଳ ଏକ ସ୍କୁଲ ପାଲଟିଯାଇଛି। ବର୍ତ୍ତମାନ ତାଙ୍କ ପାଖରେ ୪୦୦ରୁ ଅଧିକ ପିଲା ମାଗଣାରେ ପଢ଼ୁଛନ୍ତି। ୨୦ଟି ଗାଁରୁ ଏହି ପିଲାମାନେ ଆସିଛନ୍ତି। ଉତ୍ତମ ସ୍କୁଲର ନାମ ଦେଇଛନ୍ତି ପାରିଜାତ ଏକାଡେମୀ ଓ ଏଥିରେ ୨୨ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିଛନ୍ତି। ନର୍ସରିଠାରୁ ୧୦ ଶ୍ରେଣୀଯାଏ ପିଲା ପଢୁଛନ୍ତି। ଦୁର୍ଗମ ଅଞ୍ଚଳର ପିଲାମାନଙ୍କ ପାଇଁ ସେ ହଷ୍ଟେଲ ସୁବିଧା କରିଛନ୍ତି। ଶିକ୍ଷା ସହ ପିଲାମାନଙ୍କୁ ଖେଳ, ସିଲେଇ, ହସ୍ତତନ୍ତ, ନୃତ୍ୟ ଆଦି ଶିକ୍ଷା ଦିଆଯାଉଛି। ବ୍ୟକ୍ତିଗତ ତଥା ବିଭିନ୍ନ ଅନୁଷ୍ଠାନର ସହଯୋଗରେ ଏହି ସ୍କୁଲ ଚାଲୁଛି। ପିଲାମାନଙ୍କ ପାଇଁ ଉତ୍ତମ ପେନ୍‌ସିଲ, ପୁରୁଣା ସ୍କୁଲ୍‌ ବ୍ୟାଗ, ପୁରୁଣା ବହି ଯୋଗାଡ଼ କରୁଛନ୍ତି। ଏହା ବ୍ୟତୀତ ସେ ପିଲାଙ୍କ ଖାଦ୍ୟ ପାଇଁ ପରିବା, ଚାଉଳ ଲୋକଙ୍କଠାରୁ ସଂଗ୍ରହ କରୁଛନ୍ତି।