ଏଇ ଭାରତରେ

ବିମାନରେ ବୋମା ଥିବାର ମିଛ କଲ୍‌ କରି ଗିରଫ ହେବା ଘଟଣା ସାମ୍‌ନାକୁ ଆସିଛି ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ୫୯ ବର୍ଷୀୟ ସେନା କର୍ମଚାରୀ ଆଜମେର ଭଦ୍ରାଇ। ସେ ମିଲିଟାରି ଇଞ୍ଜିନିୟରିଂ ସର୍ଭିସର ସୁପରିଣ୍ଟେଣ୍ଡେଟ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ଆଜମେର ହାଇଦ୍ରାବାଦରୁ ଇଣ୍ଡିଗୋ ଫ୍ଲାଇଟ ଯୋଗେ ଚେନ୍ନାଇ ଯିବାର ଥିଲା। କିନ୍ତୁ ସେ ବିଳମ୍ବରେ ଆସିବାରୁ ତାଙ୍କୁ ବିମାନରେ ଯିବା ଲାଗି ଅନୁମତି ଦିଆଯାଇ ନ ଥିଲା। ପ୍ରଥମେ ସକାଳ ୫.୧୫ରେ ଫ୍ଲାଇଟ ମିସ୍‌ କରିବା ପରେ ୧୦.୧୫ ଫ୍ଲାଇଟରେ ଯିବାର ଥିଲା। କିନ୍ତୁ ସେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଝଗଡ଼ାରେ ଲିପ୍ତ ହୋଇ ସେଥିରେ ବି ଯାଇପାରି ନ ଥିଲେ। ପରେ ଷ୍ଟେଶନ ହାଉସ ଅଧିକାରୀ (ଏସ୍‌ଏଚ୍‌ଓ)ଙ୍କ ସହ ଯୁକ୍ତି କରିଥିଲେ ଓ ଫ୍ଲାଇଟ ବନ୍ଦ କରିବାକୁ ଧମକ ଦେଇଥିଲେ। ୬-ଇ ୬୧୫୧ ବିମାନରେ ବମ୍‌ ଥିବା ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ ଯୋଗେ ଜଣାଇ ବିମାନ ଉଡ଼ାଣ ବନ୍ଦ କରିବାକୁ କହିଥିଲେ। ପରେ ବିମାନବନ୍ଦରର ଏସ୍‌ଏଚ୍‌ଓ ବମ୍‌ ଥ୍ରେଟ ଆସେସ୍‌ମେଣ୍ଟ କମିଟିକୁ ସତର୍କ କରିବା ପରେ ବିମାନ ଉଡ଼ାଣ ବନ୍ଦ ରହିଥିଲା। ପୋଲିସ କଲ୍‌ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଆଜମେର ଏଭଳି ଧମକ ଦେଇଥିଲେ ବୋଲି ଜାଣିପାରିଥିଲା। ଆଜମେର ମଧ୍ୟ ମାନିଯାଇଥିଲେ। ପରେ ତାଙ୍କୁ ଏୟାରକ୍ରାଫ୍ଟ ଆକ୍ଟ ଉଲ୍ଲଂଘନ ଓ ମିଥ୍ୟା ଧମକ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି।