ଏଇ ଭାରତରେ

ପରିସଂସ୍ଥାର ସୁରକ୍ଷା ଦୃଷ୍ଟିକୋଣରୁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ହେଲେ ବେଙ୍ଗାଲୁରୁର ଡିଜାଇନ୍‌ କନ୍‌ସଲ୍‌ଣ୍ଟାଣ୍ଟ ଗ୍ରାସି ଏଲିଜାବେଥ୍‌ଙ୍କ ନିଆରା ପଦକ୍ଷେପ ପ୍ରଶଂସନୀୟ। ଗ୍ରାସି ପୁରୁଣା କାଠ ସଂଗ୍ରହ କରି ସେଥିରେ ଇଣ୍ଟେରିୟର୍‌ ଡିଜାଇନ କରୁଛନ୍ତି। ଏହା ସହ ପୁରୁଣା କାଠରୁ ଆକର୍ଷଣୀୟ ତଥା ପରିବେଶ ଉପଯୋଗୀ ଫନିଚର ତିଆରି କରୁଛନ୍ତି। ସେ ବେଙ୍ଗାଲୁରୁରେ ପୁରୁଣା କାଠ ବ୍ୟବହାର କରି ୩୫-୪୦ଟି ଘର ଡିଜାଇନ କରିସାରିଲେଣି। ଘରର କବାଟ, ଝରକା ଏବଂ କିଚେନ କ୍ୟାବିନେଟ, ଚେୟାର, ଟେବୁଲ ଆଦି ତାଙ୍କ ଡିଜାଇନ୍‌ର ଆକର୍ଷଣ ପାଲଟିଛି। ନୂଆ କାଠ ଅପେକ୍ଷା ଏହା ୨୫-୩୦ ପ୍ରତିଶତ ଶସ୍ତା ହେଉଛି। ଗ୍ରାସି ପୁରୁଣା ଶାଳ, ଶାଗୁଆନ, ପଣସ ଆଦି କାଠ ସଂଗ୍ରହ କରି କାମରେ ଲଗାଉଛନ୍ତି। ସେ ଉକ୍ତ ଡିଜାଇନ କାର୍ଯ୍ୟ ଦୁଇ ଦଶନ୍ଧି ହେଲା କରିଆସୁଛନ୍ତି। ପୁରୁଣା କାଠକୁ ପଲିସ କରି ନୂତନ ରୂପ ଦେବାରେ ସେ କାରିଗରମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦେଉଛନ୍ତି। ପୁରୁଣା କାଠ ବ୍ୟବହାର କରାଗଲେ ଜଙ୍ଗଲ ଧ୍ୱଂସକୁ କିଛି ମାତ୍ରାରେ ରୋକାଯାଇ ପାରିବ ବୋଲି କହନ୍ତି ୫୩ ବର୍ଷୀୟ ଗ୍ରାସି।