ଏଇ ଭାରତରେ

ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍‌। ହେଲେ ଆବିଷ୍କାର କରିବାରେ ଇଞ୍ଜିନିୟର କିମ୍ବା ବୈଜ୍ଞାନିକଙ୍କ ସମତୁଲ୍ୟ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଆସାମ ଗୁଆହାଟୀର କନକ ଗୋଗୋଇ। ସେ ଏବେ ଏକ ଛୋଟ ଟ୍ରକ୍ଟର ନିର୍ମାଣ କରିଛନ୍ତି । ଏହାର ଦାମ୍‌ ୪୦ ହଜାର ଟଙ୍କା, ଯାହାକୁ କ୍ଷୁଦ୍ର ଚାଷୀମାନେ କିଣିପାରିବେ। ପାଠ ଛାଡ଼ି କନକ ପ୍ରଥମେ ଏକ ମେକାନିକାଲ ଓ୍ବାର୍କଶପରେ କାମ କଲେ ଓ ପରେ ୧୯୯୭ରେ ଗୁଆହାଟୀରେ ନିଜର ଏକ ଛୋଟ ଓ୍ବର୍କଶପ ଖୋଲି କାମ କରିବା ଆରମ୍ଭ କରିଥିଲେ। ସେବେଠାରୁ ଦୁଇ ଦଶନ୍ଧି ମଧ୍ୟରେ ଉକ୍ତ ମିନି ଟ୍ରାକ୍ଟରକୁ ମିଶାଇ କନକ ୧୦ରୁ ଅଧିକ ଆବିଷ୍କାର କରିସାରିଲେଣି। ଅନ୍ୟ ଆବିଷ୍କାରଗୁଡ଼ିକ ହେଲା ଗ୍ରାଭିଟି ଚାଳିତ ସାଇକେଲ, ସୌରଚାଳିତ ବୋଟ୍‌, କମ୍ପ୍ରେସ୍‌ଡ ଏୟାର ଟେକ୍ନୋଲୋଜି କାର୍‌, ଗ୍ରୀନ୍‌ ଟେକ୍ନୋଲୋଜି କାର୍‌ ଆଦି ଅନ୍ୟତମ। କରୋନା ମାହାମାରୀ ସମୟରେ ଉକ୍ତ ନୂଆ ଟ୍ରାକ୍ଟର ନିର୍ମାଣ କରିବା ଯୋଜନା କରି ଲକ୍‌ଡାଉନ ପରେ ଶେଷ କରିଛନ୍ତି। ଏହା ପଛରେ ମଧ୍ୟ ଏକ ଛୋଟ ଟ୍ରଲି ଲଗାଇ କ୍ଷେତରୁ ଶସ୍ୟ ଆଣିବାର ସୁବିଧା କରାଯାଇଛି। ଆବିଷ୍କାର ପାଇଁ କନକ ଅନେକ ସଂସ୍ଥା ତରଫରୁ ପୁରସ୍କୃତ ହୋଇଛନ୍ତି।