ଏଇ ଭାରତରେ

ଛାତ ଉପରେ ଜୈବିକ ଚାଷ କରି ମାସକୁ ହାରାହାରି ୬୦ ହଜାର ଟଙ୍କା ରୋଜଗାର କରୁଥିବା ମହିଳାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। କେରଳର କୋଟାୟମ ନିବାସୀ ରେମା ଦେବୀଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ରେମା ନବେ ଦଶକରୁ ଜୈବିକ ପରିବା ଚାଷ ଆରମ୍ଭ କରିଥିଲେ। ସେତେବେଳେ ଅଗଣାରେ ମାତ୍ର ୪ଟି କିସମର ପରିବାଗଛ ଲଗାଇଥିଲେ। ନିଜ ପିଲାମାନଙ୍କୁ ଜୈବିକ ଖାଦ୍ୟ ଦେବା ଲକ୍ଷ୍ୟରେ ସେ ଏହା କରିଥିଲେ। ପରେ ଏହି ଚାଷକୁ ଛାତ ଉପରକୁ ସ୍ଥାନାନ୍ତର କରି ଏବେ ସେଥିରୁ ମାସକୁ ୬୦ ହଜାର ଟଙ୍କା ରୋଜଗାର କରିବା ଅନ୍ୟମାନଙ୍କୁ ଏଭଳି ଚାଷ କରିବା ଲାଗି ପ୍ରେରିତ କରିଛି। ସେ କେବଳ ପରିବା ବିକ୍ରି କରି ଟଙ୍କା ରୋଜଗାର କରୁନାହାନ୍ତି ବରଂ ଚାଷରୁ ମଞ୍ଜି ସଂଗ୍ରହ କରି ସେଥିରୁ ଏହି ପରିମାଣର ଅର୍ଥ ରୋଜଗାର କରିବାକୁୁ ସକ୍ଷମ ହୋଇଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରତି ମଞ୍ଜି ପ୍ୟାକେଟକୁ ୨୫ ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। ରେମା ନିଜେ ଜୈବିକ ଖତ ପ୍ରସ୍ତୁତ କରି ଏହି ଚାଷରେ ଲଗାଉଛନ୍ତି। ସେ ମଧ୍ୟ ଲୋକମାନଙ୍କ ଘର ଅଗଣା କିମ୍ବା ଛାତ ଉପରେ ଜୈବିକ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ ଆବଶ୍ୟକ ମଞ୍ଜି ଯୋଗାଇ ଦେଉଛନ୍ତି।