ଏଇ ଭାରତରେ

ମୁଷ୍ଟିମେୟ ଲୋକଙ୍କ ଜବରଦଖଲରେ ଥିବା ଆଦିବାସୀମାନଙ୍କ ଜମି ଫେରାଇ ଆଣିବା ଲାଗି ଅଭିଯାନ ଜାରି ରଖିଛନ୍ତି ସବ୍‌ନମ ଶାହା। ରହନ୍ତି ମଧ୍ୟପ୍ରଦେଶ ଅଶୋକନଗର ଜିଲା ମୁଙ୍ଗାଓଲି ଗାଁରେ। ସବ୍‌ନମ ଏକତା ପରିଷଦ ମାଧ୍ୟମରେ ଏବେସୁଦ୍ଧା ୧୪୦୦ ଆଦିବାସୀ ପରିବାରକୁ ସାହାଯ୍ୟ କରିଛନ୍ତି। ଏମାନେ ସମସ୍ତେ ସହରିୟା ଜନଜାତିର ଲୋକ। କୌଣସି ଧମକକୁ ଖାତିର ନ କରି ବେଆଇନ ଭାବେ ଦଖଲ କରିଥିବା ପ୍ରଭାବଶାଳୀ ଲୋକଙ୍କ କବ୍‌ଜାରୁ ଜମି ମୁକୁଳାଇ ଆଦିବାସୀମାନଙ୍କୁ ଦେଉଛନ୍ତି। ଏହା ସହ ଦୁଇପରିବାର ମଧ୍ୟରେ ଥିବା ଜମି ବିବାଦର ସମାଧାନ ମଧ୍ୟ ତହସିଲରେ କରୁଛନ୍ତି। ୧୮ ବର୍ଷ ବୟସରେ ଏକତା ପରିଷଦରେ ଯୋଗ ଦେଇ ଏବେ ସେ ଜିଲା ସଂଯୋଜକ ହୋଇପାରିଛନ୍ତି। ସବ୍‌ନମଙ୍କୁ ବୟସ ୩୦। କଳାରେ ଡିଗ୍ରୀ ହାସଲ କରିଛନ୍ତି। ନିକଟରେ ତାଙ୍କୁ ଓମେନ ଓ୍ବାଲର୍‌ଡ ସମିଟ୍‌ ଫାଉଣ୍ଡେଶନ( ଡବ୍ଲ୍ୟୁଡବ୍ଲ୍ୟୁଏସ୍‌ଏଫ୍‌) ‘ଫ୍ରାଇଜ ଫର୍‌ ଓମେନସ୍‌ କ୍ରଏଟିଭିଟି ଇନ୍‌ ରୁରାଲ ଲାଇଫ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି। ସବ୍‌ନମ ଆଦିବାସୀ ଗାଁଗୁଡିକୁ ଯାଇ ପ୍ରଥମେ ଗ୍ରାମସଭାରେ ଜମିର କାଗଜପତ୍ର ଦେଖିବା ପରେ ତାହାକୁ ପଞ୍ଚାୟତ ବା ପ୍ରଶାସନିକ କିମ୍ବା ନ୍ୟାୟିକ ସ୍ତରରେ ସମାଧାନ କରୁଛନ୍ତି। ଏପରି କି ପ୍ରଶାସନିକ ସ୍ତରରେ ବିଳମ୍ବ ହେଲେ ସେ ର଼୍ୟାଲି ମାଧ୍ୟମରେ ଏହା ପ୍ରତିବାଦ କରିଥାନ୍ତି। ଆଦିବାସୀମାନଙ୍କ ଜମି ମୁକୁଳାଇବା ପରେ ସେଥିରେ ସେମାନଙ୍କୁ ଜୈବିକ କୃଷି କରିବାକୁ ଉତ୍ସାହିତ କରିବା ସହ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ଏପରି କି ବହୁ ପରିବାରରେ କିଚେନ୍‌ ଗାର୍ଡେନ କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ।