ଏଇ ଭାରତରେ

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ଜବଲପୁରର ଶ୍ରଦ୍ଧା ସୋପରକାର। ସେ ମଧୁରମ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ ୮୦୦ ଦିବ୍ୟାଙ୍ଗ ପିଲାଙ୍କୁ ବିଭିନ୍ନ ଥେରାପି ମାଗଣାରେ ଯୋଗାଇ ଦେଉଛନ୍ତି। ବ୍ୟବସାୟିକ ପରିବାରରୁ ଆସିଥିବା ଶ୍ରଦ୍ଧାଙ୍କ ଝିଅ ସେରିବ୍ରାଲ ପ୍ଲାଜି (ଏକପ୍ରକାର ମାନସିକ ସମସ୍ୟା) ପୀଡ଼ିତ ହେବା ପରେ ସେ ତାହାର ଚିକିତ୍ସା କରିବା ସମୟରେ ଏଭଳି ପିଲାମାନଙ୍କ ସମ୍ପର୍କରେ ଚିନ୍ତା କରିଥିଲେ। ଏହି ରୋଗର ଚିକିତ୍ସା ବ୍ୟୟବହୁଳ। ଏଣୁ ସେ ନିଜ ଝିଅର ଚିକିତ୍ସା କରିବା ସମୟରେ ଯଦି ଏଭଳି ପିଲାଙ୍କୁ ଦେଖୁଥିଲେ ସେମାନଙ୍କ ମାତାପିତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଥିଲେ। ଧୀରେ ଧୀରେ ୧୦ ଜଣ ପିଲାଙ୍କୁ ଚିକିତ୍ସା ଖର୍ଚ୍ଚ ଯୋଗାଇ ପରେ ଆଉ ଅଧିକଙ୍କ ସେବା ଲାଗି ସେ ୨୦୧୮ରେ ମଧୁରମ ଖୋଲିଥିଲେ। ଏବେ ମଧୁରମ୍‌ରେ ପିଲାମାନଙ୍କୁ ଫିଜିଓଥେରାପି, ଅକୁପେଶନାଲ ଥେରାପି, ସ୍ପିଚ୍‌ ଥେରାପି ଆଦି ଯୋଗାଇ ଦିଆଯାଉଛି। ଯେଉଁ ପିଲା ପଢ଼ିବା ଯୋଗ୍ୟ ହେଉଛନ୍ତି ଶ୍ରଦ୍ଧା ସେମାନଙ୍କୁ ପଢ଼ାଉଛନ୍ତି। ସେ ମଧ୍ୟ ଷ୍ଟେପାଥନ ପ୍ରୋଜେକ୍ଟ ଆରମ୍ଭକରି ପ୍ରୋଥେଷ୍ଟିକ ଗୋଡ଼ ଯୋଗାଇଦେଉଛନ୍ତି। ଏହାକୁ ସେ ଜର୍ମାନୀରୁ ମଗାଉଛନ୍ତି। ଏବେ ସୁଦ୍ଧା ୧୦୦ ପ୍ରୋଥେଷ୍ଟିକ ଗୋଡ଼ ଯୋଗାଇ ଦେଇସାରିଲେଣି ଓ ୨୦୨୩ ସୁଦ୍ଧା ୪୦୦ରୁ ଅଧିକ ଯୋଗାଇ ଦେବାର ଯୋଜନା କରିଛନ୍ତି। ଏହା ବ୍ୟତୀତ ପ୍ରତିଦିନ ମଗଣାରେ ୧୦୦ ପିଲାଙ୍କୁ ଆକ୍ୱା ଥେରାପି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି।