ଏଇ ଭାରତରେ

୨୦ ଟଙ୍କା ପାଇଁ ୨୨ ବର୍ଷ ନ୍ୟାୟିକ ଲଢ଼େଇ କଥା ଶୁଣିଛନ୍ତି କି? ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମଥୁରାରେ। ସେଠାରେ ରହୁଥିବା ତୁଙ୍ଗନାଥ ଚତୁର୍ବେଦୀ ଏମିତି କେସ୍‌ ଲଢ଼ିଛନ୍ତି। ୨୦ ଟଙ୍କା ଫେରିପାଇବା ବଡ଼ କଥା ନୁହେଁ, ବରଂ ଭ୍ରଷ୍ଟାଚାରକୁ ପରାସ୍ତ କରି ନ୍ୟାୟ ଲାଗି ସେ ଏହି ସଂଗ୍ରାମ ଜାରି ରଖିଥିଲେ। ୨୫ ଡିସେମ୍ବର ୧୯୯୯ରେ ତୁଙ୍ଗନାଥ ମୋରଦାବାଦ ଯିବାର ଥିଲା ଓ ସେ ମଥୁରା ରେଲଓ୍ବେ ଷ୍ଟେଶନରେ ଦୁଇଟିି ଟିକେଟ କରିଥିଲେ। ଟିକେଟ କାଉଣ୍ଟରରେ ଥିବା କ୍ଲର୍କ ତାଙ୍କଠାରୁ ୯୦ ଟଙ୍କା ନେଇଥିଲେ। କିନ୍ତୁ ବାସ୍ତବରେ ଏହି ଦୁଇ ଟିକେଟର ମୂଲ୍ୟ ଥିଲା ୭୦ ଟଙ୍କା। ଏହା ଜାଣିବା ପରେ ତୁଙ୍ଗନାଥ ସେହି କ୍ଲର୍କଙ୍କୁ ୨୦ଟଙ୍କା ଫେରାଇବା ଲାଗି କହିଥିଲେ ଓ ବହୁ ଯୁକ୍ତିତର୍କ ବି ହୋଇଥିଲା । ଇତିମଧ୍ୟରେ ଟ୍ରେନ ଆସିଯିବାରୁ ସେ ଚାଲିଯାଇଥିଲେ। ପରେ ତୁଙ୍ଗନାଥ ମଥୁରା ଷ୍ଟେଶନ ମାଷ୍ଟର, ଉତ୍ତରପୂର୍ବ ରେଲଓ୍ବେ ମହାପ୍ରବନ୍ଧକଙ୍କୁ ଏ ସମ୍ପର୍କରେ ଜଣାଇବା ପରେ କୌଣସି ଫଳ ନ ମିଳିବାରୁ ସେ କଞ୍ଜ୍ୟୁମର ଫୋରମରେ ମାମଲା ଦାୟର କରିଥିଲେ। ତୁଙ୍ଗନାଥ ପେସାରେ ଜଣେ ଓକିଲ। ଏହି ମାମଲାର ୧୨୦ରୁ ଅଧିକ ଥର ଶୁଣାଣି ହୋଇଥିଲା। ଶେଷରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ଓ ଆର୍ଥିକ ଖର୍ଚ୍ଚ ଲାଗି ପ୍ରତି ବର୍ଷ ୨୦ ଟଙ୍କାର ୧୨ ପ୍ରତିଶତ ସୁଧ ସହ ୧୫,୦୦୦ ଟଙ୍କା ଜରିମାନା କରି ୩୦ ଦିନରେ ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।