ଏଇ ଭାରତରେ

ମାଓବାଦୀଙ୍କ ସହିତ ଲଢ଼ିବାକୁ ଏବେ କିନ୍ନରମାନେ ପ୍ରସ୍ତୁତ। ଛତିଶଗଡ଼ର ମାଓବାଦୀ ପ୍ରଭାବିତ ବସ୍ତର ଜିଲାରେ ପୋଲିସର ନୂତନ ସ୍ବତନ୍ତ୍ର ୟୁନିଟ୍‌ ବସ୍ତର ଫାଇଟର୍ସରେ ୯ ଜଣ କିନ୍ନରଙ୍କୁ ପ୍ରଥମ ଥର ପାଇଁ ପୋଲିସ ବିଭାଗ ପକ୍ଷରୁ ନିଯୁକ୍ତ କରାଯାଇଛି। ନିଯୁକ୍ତ କିନ୍ନରମାନେ ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ପୋଲିସ ବ୍ୟବସ୍ଥାରେ ଏକ ନୂତନ ଦିଗ ଯୋଡ଼ିବେ। ୯ ଜଣ କିନ୍ନରଙ୍କ ମଧ୍ୟରୁ ୮ ଜଣ କାଙ୍କେରର ଏବଂ ଜଣେ ବସ୍ତର ଜିଲାର। ଏହି କିନ୍ନରମାନେ ହେଉଛନ୍ତି ଦିବ୍ୟା ନିଶାଦ, ଦାମିନୀ, ସନ୍ଧ୍ୟା, ସାନୁ, ରାନୀ, ହିମାଂଶୀ, ରିୟା, ସୀମା ଏବଂ ବରଖା। ପୋଲିସ ନିଯୁକ୍ତି ନେଇ କିନ୍ନରମାନେ ଏକ ବାର୍ତ୍ତା ଦେଇଛନ୍ତି ଯେ, ଯଦି ସେମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଆନ୍ତି, ତେବେ ପୁରୁଷ ଓ ମହିଳାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଚାଲିପାରିବେ ଏବଂ ସେମାନେ ମଧ୍ୟ ଏକ ସମ୍ମାନଜନକ ଜୀବନ ପାଇବାକୁ ଯୋଗ୍ୟ। ପୋଲିସ ଆଇଜି ସୁନ୍ଦରରାଜ ପି. କହିଛନ୍ତି ଶାରୀରିକ ଦକ୍ଷତା, ଲିଖିତ ପରୀକ୍ଷା ଏବଂ ସାକ୍ଷାତ୍‌କାର ପରେ ଏହି ଚୟନ ତାଲିକା ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୧୦୦ ପଦବୀ ମଧ୍ୟରୁ ୯ଟି କିନ୍ନରଙ୍କ ପାଇଁ ସଂରକ୍ଷିତ ଥିଲା।