ଏଇ ଭାରତରେ

ପେଟ୍ରୋଲ-ଡିଜେଲ ଦାମ୍‌ ଆକାଶଛୁଆଁ ହୋଇଛି। ଅପରପକ୍ଷେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଇଲେକ୍ଟ୍ରିକ୍‌ ଯାନ (ଇଭି) କିଣିବା ସଭିଙ୍କ ପାଇଁ ଏକ ଉତ୍ତମ ବିକଳ୍ପ। କିନ୍ତୁ ଏହାର ଦାମ୍‌ ଓ ଚାର୍ଜିଂ ସମସ୍ୟା ବାଧକ ସାଜୁଛି। ଏଭଳି ସ୍ଥିତିକୁ ଲକ୍ଷ୍ୟକରି ପଶ୍ଚିମବଙ୍ଗ ନଦିଆର ଚନ୍ଦନ ବିଶ୍ୱାସ ସୋଲାର ସାଇକେଲ ନିର୍ମାଣ କରିଛନ୍ତି। ଚନ୍ଦନଙ୍କ ବୟସ ୬୦। ସେ ରେଜେଷ୍ଟ୍ରି ଅଫିସ୍‌ରେ ରାଇଟର ଭାବେ କାର୍ଯ୍ୟ କରନ୍ତି। ସେ ମଧ୍ୟ ଜଣେ ରେଡିଓ ମେକାନିକ୍‌। ବିଜ୍ଞାନ ପ୍ରତି ରୁଚି ଥିବାରୁ ସେ ତାଙ୍କ ଝିଅର ପୁରୁଣା ସାଇକେଲକୁ ସୋଲାର ସାଇକେଲ୍‌ରେ ପରିଣତ କରି ସେଥିରେ ପ୍ରତିଦିନ ୨୪ କିଲୋମିଟର ଦୂର କରିମ୍‌ପୁରରେ ଥିବା ତାଙ୍କ ଅଫିସକୁ ଯାଉଛନ୍ତି। ଏହି ସାଇକେଲରେ ଏକ ଲିଥିୟମ ଆଇଅନ୍‌ ବ୍ୟାଟେରି ଓ ମୋଟର ଲଗାଇଛନ୍ତି। ସାଇକେଲରେ ୨୪/୧୬୫ ଓ୍ବାଟ୍‌ର ସୋଲାର ପ୍ୟାନେଲକୁ ସିଟ୍‌ ଉପରେ ୪ ଫୁଟ୍‌ ଉଚ୍ଚରେ ଲଗାଇଛନ୍ତି, ଯାହାଦ୍ୱାରା ଆରାମରେ ବସି ସାଇକେଲ ଚଳାଇହେଉଛି। ଅପରପକ୍ଷରେ ଏହା ମଧ୍ୟ ଖରାରୁ ରକ୍ଷା କରୁଛି। ସେ ଲେଡିଜ୍‌ ସାଇକେଲ୍‌ଟିକୁ ବିନା ପେଡାଲ୍‌ରେ ଯେତେବେଳେ ଚଲାଉଛନ୍ତି ସେତେବେଳେ ତାହା ସମସ୍ତଙ୍କୁ ବିସ୍ମିତ କରୁଛି। ଏହି ‘ଇଭି’ ସୋଲାର ସାଇକେଲ ନିର୍ମାଣ କରିବାରେ ସେ ୧୯ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି।