ଏଇ ଭାରତରେ

ଝାଡ଼ଖଣ୍ଡ ଦେଓଘରର ରାମ ପାଣ୍ଡେ ଅନେକ ଅସହାୟ ଝିଅଙ୍କ ପିତା ପାଲଟି ଯାଇଛନ୍ତି। ୨୦୦୪ରୁ ସେ ଏହି ଦାୟିତ୍ୱ ବହନ କରିଆସୁଛନ୍ତି। ରାମଙ୍କ ବୟସ ୬୧। ସେ ଏବେ ଦେଓଘରର ପ୍ରସିଦ୍ଧ ଶିବମନ୍ଦିରକୁ ଯାଉଥିବା କାଉଡ଼ିଆମାନଙ୍କୁ ପିଇବା ପାଣି ଦେବା ଲାଗି ଏକ ଷ୍ଟଲ୍‌ ଖୋଲିଛନ୍ତି। ଏଠାରୁ ପାଣି ପିଇବା ପରେ ବହୁ କାଉଡ଼ିଆ ତାଙ୍କୁ କିଛି ଅର୍ଥ ବି ଦେଉଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଅର୍ଥକୁ ରାମ ତାଙ୍କ ନାରାୟଣ ସେବାଶ୍ରମରେ ରହୁଥିବା ୩୫ ଜଣ ଅସହାୟ ଝିଅଙ୍କ ଲାଗି ଖର୍ଚ୍ଚ କରୁଛନ୍ତି। କେବଳ ଶ୍ରାବଣ ମାନସ ନୁହେଁ, ବର୍ଷ ସାରା ସେ ଯାହା ଆୟ କରନ୍ତି ସେସବୁ ତାଙ୍କ ଆଶ୍ରମ ପିଲାମାନଙ୍କ ପିଛା ଖର୍ଚ୍ଚ କରୁଛନ୍ତି। ବହୁ ବ୍ୟକ୍ତି ଏହି କାର୍ଯ୍ୟ ଲାଗି ତାଙ୍କୁ ଆର୍ଥିକ ସହଯୋଗ ମଧ୍ୟ କରୁଛନ୍ତି। ଝିଅମାନଙ୍କୁ ପଢ଼ାଇବାଠାରୁ ଆରମ୍ଭ କରି ସେମାନଙ୍କ ବିବାହ ବି କରାଉଛନ୍ତି। ୨୦୦୪ରେ ରାମ ଏକ ପରିତ୍ୟକ୍ତ ଝୁମ୍ପୁଡ଼ିରୁ ନବଜାତ କନ୍ୟାଟିଏ ପାଇବା ପରେ ତାକୁ ଚିକିତ୍ସା କରି ସୁସ୍ଥ କରିଥିଲେ । ଏହି ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିତ୍ଲା। ପରେ ରାସ୍ତାରେ ବୁଲୁଥିବା ବେସାହାରା ଝିଅମାନଙ୍କ ସମ୍ପର୍କରେ ଖବର ପାଇ ସେଠାକାର ପ୍ରଶାସନ ସହାୟତାରେ ନିଜ ପାଖକୁ ଆଣି ରଖିବାରେ ଲାଗିଲେ। ପ୍ରଥମେ ସେମାନଙ୍କୁ ନିଜ ଘରେ ରଖୁଥିଲେ। ପରେ ଝିଅମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ନିଜ ଜମି ବିକ୍ରି କରି ସେମାନଙ୍କ ପାଇଁ ଘର ତିଆରି କରିଛନ୍ତି।