ଏଇ ଭାରତରେ

ଛାତ୍ର ଜୀବନରେ ଭଲ ହକି ଖେଳୁଥିଲେ ବେନେଡିକ୍ଟ କୁଜୁର । ହକି ଥିଲା ତାଙ୍କ ନିଶା। ଦେଶ ପାଇଁ ଖେଳିବାକୁ ଆଶା ବାନ୍ଧିଥିଲେ, କିନ୍ତୁ ତାଙ୍କ ଆଶା ଆଶାରେ ହିଁ ରହିଗଲା। ହେଲେ ଅନ୍ତର୍ଜାତୀୟ ସ୍ତରର ହକି ଖେଳାଳି ସୃଷ୍ଟିି କରିବାରେ ସେ ସଫଳ ହୋଇପାରିଛନ୍ତି। ଝାଡ଼ଖଣ୍ଡ ସିମ୍‌ଡେଗା ଜିଲାର ଏକ ସରକାରୀ ସ୍କୁଲ୍‌ରେ ଶିକ୍ଷକ ଭାବେ ୨୦୦୩ରେ ନିଯୁକ୍ତି ପାଇବା ପରେ ସ୍କୁଲରେ ହକିକୁ ବାଧ୍ୟତାମୂଳକ ବିଷୟ ଭାବେ ରଖିବାର ବ୍ୟବସ୍ଥା କରିଥିଲେ। ସେବେଠାରୁତ୍ ହକି ଶିଖାଇବା ଲାଗି ପ୍ରତିଦିନ କ୍ଲାସ୍‌ ଆରମ୍ଭ ହେବା ପୂର୍ବରୁ ଓ ପରେ ଘଣ୍ଟାଏ ସମୟ ଦେଉଛନ୍ତି। ପ୍ରଥମେ ସ୍କୁଲ୍‌ ପଛରେ ଥିବା ଏକ ପଡ଼ିଆକୁ ସଫା କରି ପିଲାଙ୍କୁ ଖେଳାଇବା ଆରମ୍ଭ କରିଥିଲେ। ଗଛଡାଳରୁ ହକି ଷ୍ଟିକ୍‌ ତିଆରି କରି ସେମାନଙ୍କୁ ଦେଉଥିଲେ ଓ ଶୁଖିଲା ଫଳରେ ଖେଳାଉଥିଲେ। ପରେ ବାଉଁଶରେ ହକି ଷ୍ଟିକ୍‌ ତିଆରି କରି ଯୋଗାଇ ଦେଲେ। ତାଙ୍କଠାରୁ ଖେଳ ଶିଖୁଥିବା ପିଲାମାନଙ୍କ ମଧ୍ୟରୁ ଗତ ଦୁଇବର୍ଷ ମଧ୍ୟରେ ସଙ୍ଗୀତା କୁମାରୀ ଓ ବିୟୁଟି ଡୁଙ୍ଗଡୁଙ୍ଗଙ୍କ ସମେତ ୬ ଜଣ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଛନ୍ତି। ରାଜ୍ୟସ୍ତରରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପ୍ରତିନିଧିତ୍ୱ କରିସାରିଛନ୍ତି। ବେନେଡିକ୍ଟ ପିଲାମାନଙ୍କଠାରୁ ପ୍ରଶିକ୍ଷଣ ବାବଦରେ କୌଣସି ଦେୟ ନେଉନାହାନ୍ତି। ବରଂ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି ଓ ଏଥିପାଇଁ ନିଜ ଦରମାରୁ ଖର୍ଚ୍ଚ କରୁଛନ୍ତି। ସେ କୋଚ୍‌ ପାଇଁ ବିଧିବଦ୍ଧ ଭାବେ କୌଣସି ଶିକ୍ଷା ଲାଭ କରି ନ ଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରର କୋଚ୍‌ମାନଙ୍କ ଟେକ୍‌ନିକ୍‌ର ୟୁଟୁବ୍‌ ଓ ସେମାନଙ୍କ ସାକ୍ଷାତ୍‌କାରରୁ ବହୁ କୌଶଳ ଶିଖି ପିଲାମାନଙ୍କୁ ଶିଖାଉଛନ୍ତି। ଏବେ ସିମ୍‌ଡେଗା ହକି ଆସୋସିଏଶନ୍‌ ବେନେଡିକ୍ଟଙ୍କ ଆଗ୍ରହକୁ ଦେଖି ହକି ଷ୍ଟିକ୍‌ ଓ ବଲ୍‌ ଯୋଗାଇ ଦେବା ଆରମ୍ଭ କରିଛନ୍ତି। ଅନେକ ଘରୋଇ କମ୍ପାନୀ ଓ ଏନ୍‌ଜିଓ ମଧ୍ୟ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।