ଏଇ ଭାରତରେ

ଅବସର ଜୀବନ ଶେଷ ନୁହଁ। ଚାହିଁଲେ ଅବସର ପରେ ବି ନୂଆ ଏକ ଜୀବନ ଓ ବୃତ୍ତିରେ ସଫଳତା ମିଳିବ, ଯାହା ପ୍ରମାଣ କରିଛନ୍ତି କେରଳର କେ.ଟି. ଫ୍ରାନ୍‌ସିସ୍‌। କୋଝିକୋଡ ଜିଲାର ଫ୍ରାନ୍‌ସିସ୍‌ ୨୦୧୫ରେ ଜଣେ ଫିଜିକାଲ ଏଜୁକେଶନ ଟିଚର ଭାବେ ଅବସର ନେବା ପରେ ଜୈବିକ କୃଷିରେ ମଜ୍ଜି ଯାଇଛନ୍ତି। ଆଶ୍ଚର୍ଯ୍ୟ ଯେ ଫ୍ରାନ୍‌ସିସ୍‌ ୫ ଏକର ଜମିରେ ୫ରୁ ୮ ଲକ୍ଷ ଟଙ୍କା ଖଟାଇ ବର୍ଷକୁ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କୁ ଏବେ ବୟସ ୬୩। ସେ କୃଷକ ପରିବାରରେ ଜନ୍ମ। ଏଣୁ କୃଷି ତାଙ୍କର ନିଶା ପାଲଟିଯାଇଛି। ଚାକିରିରେ ଥିବାବେଳେ ବି ସେ ସମୟ ପାଇଲେ କୃଷିରେ ଲାଗିପଡ଼ନ୍ତି। ତେବେ ଅବସର ପରେ କୃଷିରେ ସଫଳତା ପାଇଁ ତାଙ୍କୁ କେରଳ କେଶରୀ ସମ୍ମାନ ପ୍ରଦାନ କରାଯାଇଛି। ଫ୍ରାନ୍‌ସିସ୍‌ ବିଶେଷକରି ନଡ଼ିଆ, ଗୁଆ, ଗୋଲମରିଚ ଚାଷ କରୁଛନ୍ତି। ଏହା ବ୍ୟତୀତ ନଡ଼ିଆ ଚାରା ଲାଗି ଏକ ନର୍ସରି କରି ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଉଛନ୍ତି। ତାଙ୍କର ଏହି କାର୍ଯ୍ୟରେ ପ୍ରଭାବିତ ହୋଇ କେରଳ କୃଷି ବିଭାଗ ଚାରା ଉତାରିବାରେ ତାଙ୍କୁ ସହଯୋଗ କରୁଛି। ସେ ମଧ୍ୟ ୟୁଟ୍ୟୁବ୍‌ ଚ୍ୟାନେଲ ମାଧ୍ୟମରେ ନଡ଼ିଆ, ଗୁଆ ଚାଷ ସମ୍ପର୍କିତ ସୂଚନା ପ୍ରଦାନ କରୁଛନ୍ତି। ଏସବୁ ବାଦ୍‌ ଫ୍ରାନ୍‌ସିସ୍‌ ଛେଳି, ବତକ, ମାଛ ଚାଷରୁ ଅର୍ଥ ଉପାର୍ଜନ କରୁଛନ୍ତି। ବଡ଼ କଥା ହେଉଛି ଏତେପ୍ରକାର ଚାଷ ପାଇଁ ସେ ନିଜେ ଜୈବିକ ଖତ ପ୍ରସ୍ତୁତ କରି ବ୍ୟବହାର କରୁଛନ୍ତି। କେରଳ କେଶରୀ ସମ୍ମାନ ବ୍ୟତୀତ ସେ ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରରେ କୃଷି ଲାଗି ବହୁ ପୁରସ୍କାର ଲାଭ କରିସାରିଛନ୍ତି।