ଏଇ ଭାରତରେ

ପରିବେଶ, ଆର୍ଥିକ ବିକାଶ ଓ ପାନୀୟ ଜଳ ପାଇଁ ଏକ ଝରଣା ସଫେଇ ପରମ୍ପରା ଦେଖିବାକୁ ମିଳେ କଶ୍ମୀରର ପଞ୍ଜାଥ ଗାଁରେ। ଏହି ଗାଁରେ ଥିବା ପଞ୍ଜାଥ ନାଗ ନାମକ ଏକ ଝରଣାକୁ ପ୍ରତିବର୍ଷ ସଫା କରାଯିବା ପରମ୍ପରା ବହୁ ଶତାବ୍ଦୀ ଧରି ପ୍ରଚଳିତ। ପଞ୍ଚାଥ କହିଲେ ୫୦୦ । ଏହି ଗାଁରେ ୫୦୦ ଝରଣା ରହିଥିଲା ବୋଲି ଗାଁ ଲୋକେ ବିଶ୍ୱାସ କରନ୍ତି ଓ ସେଥିପାଇଁ ଜଳାଶୟର ଏଭଳି ନାମ ରଖିଛନ୍ତି। ମେ ମାସ ଦ୍ୱିତୀୟ ସପ୍ତାହକୁ ଉତ୍ସବ ମନାଇବା ଓ ପରିବେଶ ସୁରକ୍ଷା କରିବାର ପ୍ରକୃଷ୍ଟ ସମୟ ବୋଲି ସେଠାକାର ଲୋକମାନେ ବିଚାର କରି ଏଭଳି ସଫେଇ କରିଥାଆନ୍ତି। ଜଳସେଚନ ପାଇଁ ମଧ୍ୟ ଏହି ଝରଣା ଉପରେ ସେଠାକାର ଗାଁଗୁଡ଼ିକ ନିର୍ଭର କରୁଥିବାରୁ ଏହା ସେମାନଙ୍କ ଆର୍ଥିକ ବିକାଶରେ ପ୍ରମୁଖ ଭୂମିକା ନିଏ। କେବଳ ଏତିକି ନୁହେଁ ୨୦ଟି ଗାଁର ଲୋକମାନେ ପାନୀୟ ଜଳ ପାଇଁ ଏହା ଉପରେ ନିର୍ଭର କରିଥାଆନ୍ତି। ଝରଣା ସଫେଇ ଉତ୍ସବରେ ପୁରୁଷ, ମହିଳା ଏବଂ ପିଲାମାନେ ଭାଗ ନେଇଥାଅନ୍ତି ଓ ଝରଣାରୁ ଦଳ, ଘାସ ଓ ପଙ୍କ ସଫା କରି ଜଳ ପ୍ରବାହକୁ ସୁଗମ କରନ୍ତି। ତେବେ ସେହି ଗାଁର ବୟୋବୃଦ୍ଧମାନେ ଉତ୍ସବରେ ଭାଗ ନେବାକୁ ଅକ୍ଷମ ହେଲେ ମଧ୍ୟ ସେମାନେ ନିଶ୍ଚିତ ଭାବେ ସଫେଇ ସମୟରେ ଉପସ୍ଥିତ ରହିବାର ପରମ୍ପରା ଚଳିଆସୁଛି।