ଏଇ ଭାରତରେ

କାର୍ଯ୍ୟ ଆଧାରରେ ଜଣେ ଆଦର୍ଶ ସରପଞ୍ଚ ହୋଇପାରନ୍ତି, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ରାଜପୁର ଗ୍ରାମପଞ୍ଚାୟତର ପିୟଙ୍କା ତିଓ୍ବାରି। ପ୍ରିୟଙ୍କା ସରପଞ୍ଚ ନିର୍ବଚିତ ହେବାର ବର୍ଷେ ମଧ୍ୟରେ ତାଙ୍କ ପଞ୍ଚାୟତକୁ ୭୫% ପ୍ଲାଷ୍ଟିକ୍‌ମୁକ୍ତ କରିପାରିଛନ୍ତି। କେବଳ ସେତିକି ନୁହେଁ ଘରର ବ୍ୟବହୃତ ତଥା ଅଦରକାରୀ ପାଣିକୁ ରିସାଇକ୍ଲିଂ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେ ଏକ ଲାଇବ୍ରେରି ଓ ଶବଦାହଗୃହ ମଧ୍ୟ ନିର୍ମାଣ କରିଛନ୍ତି। ୨୯ ବର୍ଷୀୟା ପ୍ରିୟଙ୍କା ମାସ କମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଛନ୍ତି ଓ ତାଙ୍କ ସ୍ବାମୀ ଜଣେ ବ୍ୟବସାୟୀ। ୨୦୨୧ରେ ସେ ସରପଞ୍ଚ ଭାବେ ଶପଥ ନେବା ଦିନ ରାୟପୁର ପଞ୍ଚାୟତରେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିଥିଲେ। ଏବେସୁଦ୍ଧା ସେ ପଞ୍ଚାୟତରେ ୭୫% ପ୍ଲାଷ୍ଟିକ୍‌ କମାଇ ପାରିଛନ୍ତି। ଏଥିପାଇଁ ପ୍ରିୟଙ୍କା ପଞ୍ଚାୟତ ତରଫରୁ ଦୋକାନୀ, ରାସ୍ତକଡ଼ ବ୍ୟବସାୟୀ ଓ ପରିବାରଗୁଡ଼ିକୁ କପଡ଼ା ବ୍ୟାଗ ବଣ୍ଟନ କରୁଛନ୍ତି। ପରେ ଯେଉଁମାନେ ଏହାକୁ ନ ମାନି ପ୍ଲାଷ୍ଟିକ୍‌ ବ୍ୟବହାର କରୁଛନ୍ତି ସେମାନଙ୍କ ଉପରେ ପ୍ରଥମେ ୫୦୦ ଟଙ୍କା ଓ ପରେ ୧୦୦୦ ଟଙ୍କା ଜରିମାନା କରାଯାଉଛି। ଏହା ପରେ ଅମାନ୍ୟ କରୁଥିବା ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ କରାଯାଉଛି। ସେ ପ୍ଲାଷ୍ଟିକ୍‌ ବ୍ୟବହାରଜନିତ କ୍ଷତି ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। କେକ୍‌ ପ୍ୟାକେଟ ଓ ଚକୋଲେଟ ଜରି ଆଦି ସଂଗ୍ରହ କଲେ ୧ କେଜି ପ୍ରତି ପିଲାମାନଙ୍କୁ ୨ଟଙ୍କା ଦେଉଛନ୍ତି।