ଏଇ ଭାରତରେ

ନିଶାସକ୍ତ ଜୀବନର ଅନ୍ଧକାରମୟ ଭବିଷ୍ୟତକୁ ଭଲଭାବେ ନିରୀକ୍ଷଣ କରିଛନ୍ତି ନାଗପୁରର ବିଜୟ ବର୍ଷେ। ସେଥିପାଇଁ ସେ ଅନେକ ହଜାର ବସ୍ତିପିଲାଙ୍କୁ ଫୁଟବଲ ମାଧ୍ୟମରେ ନିଶା କବଳରୁ ଉଦ୍ଧାର କରି ଉନ୍ନତ ଜୀବନ ଜିଇବାରେ ସାହାଯ୍ୟ କରିଛନ୍ତି। ବିଜୟ ୨୦୦୧ରୁ ‘ଝୋପଡ଼ପଟ୍ଟି ଫୁଟବଲ’ ଯାହା ‘ସ୍ଲମ୍‌ ସସର’ ନାମରେ ଜଣାଶୁଣା, ତା’ ମାଧ୍ୟମରେ ଏହି ଅଭିଯାନ ଚଳାଇଛନ୍ତି ଏବଂ ନିଶା ରାସ୍ତାକୁ ଆପଣାଉଥିବା ବସ୍ତିର ପିଲାମାନଙ୍କର ଫୁଟବଲ ପ୍ରତି ଆଗ୍ରହ ଜନ୍ମାଇ ପାରିଛନ୍ତି। ପିଲାମାନେ ପ୍ରତିଦିନ ବିଜୟଙ୍କ ତତ୍ତ୍ୱାବଧାନରେ ପଡ଼ିଆକୁ ଆସି ଖେଳ ଶିଖୁଛନ୍ତି। ଫଳରେ ସେମାନଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ସହ ଶିକ୍ଷା ପ୍ରତି ମନ ବଳୁଛି। ବିଜୟ ମଧ୍ୟ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ସହଯୋଗ କରୁଛନ୍ତି। କେବଳ ଫୁଟବଲ ନୁହେଁ, ପିଲାମାନଙ୍କୁ ବାସ୍କେଟବଲ, ଟେବୁଲଟେନିସ, ବ୍ୟାଡ୍‌ମିଣ୍ଟନ ଆଦି ଖେଳ ମଧ୍ୟ ଶିଖାଉଛନ୍ତି। ବିଜୟ ସ୍କୁଲ ଓ କଲେଜ ଶିକ୍ଷା ଶେଷ କରି ନାଗପୁରର ହିସ୍‌ଲପ କଲେଜରୁ ଫିଜିକାଲ ଏଜୁକେଶନରେ ପ୍ରଶିକ୍ଷଣ ନେଇଛନ୍ତି। କଲେଜ ସମୟରେ ସେ ହ୍ୟାଣ୍ଡ୍‌ବଲ୍‌ରେ ଦେଶର ପ୍ରତିନିଧିତ୍ୱ କରିଥିଲେ। ପରେ ସେ ଏକ କଲେଜରେ ଖେଳଶିକ୍ଷକ ଭାବେ ଯୋଗ ଦେଇଥିଲେ। ଚାକିରି ସମୟରେ ଖେଳ ମାଧ୍ୟମରେ ସେ ବସ୍ତି ପିଲାଙ୍କ ଜୀବନ ବଦଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁଇ ଦଶନ୍ଧି ହେବ ସେ ନିଜସ୍ବ ଖର୍ଚ୍ଚରେ ପିଲାମାନଙ୍କୁ ଖେଳାଉଛନ୍ତି। ତାଙ୍କ ଦ୍ୱାରା ପ୍ରଭାବିତ ବହୁ ପିଲା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଖେଳୁଛନ୍ତି।