ଏଇ ଭାରତରେ

ଜଙ୍ଗଲ ସୃଷ୍ଟି କରିବାରେ ସାରା ଜୀବନ ଉତ୍ସର୍ଗ କରିଆସିଥିବା ତେଲଙ୍ଗାନାର ଦୁସର୍ଲା ସତ୍ୟନାରାୟଣଙ୍କ କାହାଣୀ ପ୍ରେରଣାଦାୟକ। ସତ୍ୟପୁରା ଜିଲା ରାଘବପୁରାରେ ୭୦ ଏକର ଜମିରେ ସେ ଲକ୍ଷାଧିକ ଫଳଗଛ ଲଗାଇ ଆକର୍ଷଣୀୟ ଜଙ୍ଗଲ କରିଛନ୍ତି। କେବଳ ଏତିକି ନୁହେଁ, ଜଙ୍ଗଲରେ ରହୁଥିବା ପଶୁପକ୍ଷୀଙ୍କ ପାଇଁ ୧୩ଟି ପୋଖରୀ ଖୋଳିଛନ୍ତି। ୫୦ ବର୍ଷ ହେଲା ସେ ନିଜସ୍ବ ଉଦ୍ୟମରେ ଏହି ଜଙ୍ଗଲ କରିପାରିଛନ୍ତି। ସତ୍ୟନାରାୟଣଙ୍କ ବୟସ ୬୮। ସେ ପିଲାଦିନରୁ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ଜଙ୍ଗଲରେ ବହୁ ଗଛ ୫୦ବର୍ଷର ହୋଇଗଲେଣି। ଏହି ଜାଗାକୁ ସେ କିଣିନାହାନ୍ତି କିମ୍ବା ଲିଜ୍‌ରେ ଆଣିନାହାନ୍ତି। ଏହା ତାଙ୍କ ପୈତୃକ ସମ୍ପତ୍ତି। ତାଙ୍କ ପୂର୍ବପୁରୁଷ ନିଜାମଙ୍କ ପାଖରେ କାମ କରୁଥିବାରୁ ୩୦୦ ଏକରି ଜମି ପାଇଥିଲେ। ପରିବାରରେ ଜମି ଭାଗ ହୋଇଯିବା ପରେ ତାଙ୍କ ଭାଗରେ ରହିଥିବା ୭୦ ଏକର ଜମିକୁ ସେ ସମ୍ପୂର୍ଣ୍ଣ ଜଙ୍ଗଲ କରିଦେଇଛନ୍ତି। ସତ୍ୟନାରାୟଣ କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରି ୟୁନିୟନ ବ୍ୟାଙ୍କରେ ଡେଭଲପ୍‌ମେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଜଙ୍ଗଲ ପ୍ରତି ତାଙ୍କ ମୋହ ତୁଟି ନାହିଁ। ସେ ଚାକିରିରୁ ଯାହା ରୋଜଗାର କରିଛନ୍ତି ତାହାକୁ ଏହି ଜଙ୍ଗଲ କରିବା ଏବଂ ତା’ର ରକ୍ଷଣାବେକ୍ଷଣରେ ଖର୍ଚ୍ଚ କରିଛନ୍ତି। ଜଙ୍ଗଲରେ ପିଜୁଳି, ଆମ୍ବ, ଜାମୁ, ବାଉଁଶ ଓ ଅନ୍ୟ ଫଳଗଛ ସବୁ ରହିଛି। ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଚଢ଼େଇ, ମାଙ୍କଡ଼, ସାପ, ଠେକୁଆ, ଗୁଣ୍ଡୁଚିମୂଷା, ମୟୂର, ହରିଣ ଏବଂ ଅନ୍ୟ ବନ୍ୟଜନ୍ତୁ ରହିଛନ୍ତି।