ଏଚ୍ଆଇଭି ପୀଡ଼ିତ ହୋଇ ସାମାଜିକ ବାଧାକୁ ସାମ୍ନା କରି ଏଭଳି ରୋଗରେ ପୀଡ଼ିତ ବହୁ ମହିଳାଙ୍କ ପାଇଁ ଆଶାବାଡ଼ି ପାଲଟିଛନ୍ତି ସୁରିନ୍ଦର କୌର। ରାଜସ୍ଥାନର ଅଲଓ୍ବାର ଜିଲାରେ ଏକ ଗରିବ ପରିବାରରେ ଜନ୍ମିତ ସୁରିନ୍ଦର ମାଟ୍ରିକ ପାସ୍ ପରେ ଜଣେ ଗାଡ଼ିଚାଳକଙ୍କୁ ବିବାହ କରିଥିଲେ। ପରେ ଏଚ୍ଆଇଭି ପଜିଟିଭ୍ରେ ଆକ୍ରାନ୍ତ ହୋଇଥିଲେ। ସେତେବେଳକୁ ତାଙ୍କୁ ବୟସ ୧୯ ଓ ତାଙ୍କର ବି ଏକ କନ୍ୟାସନ୍ତାନ ଥିଲା। ତାଙ୍କୁ ଆମତ୍ହତ୍ୟା କରିବା ଲାଗି ମଧ୍ୟ କୁହାଯାଇଥିଲା। ହେଲେ ସେ ଏସବୁକୁ ଖାତିର ନ କରି ୧୦ ବର୍ଷ ବିନା ଔଷଧରେ ବଞ୍ଚି ରହିବା ପରେ ୨୦୦୫ରେ ଗୁଡ୍ଗାଁଓର ଏକ ଏନ୍ଜିଓ ସହ ଯୋଗାଯୋଗ କରି ଚିକିତ୍ସିତ ହୋଇଥିଲେ। ପରେ ହରିୟାଣା ଏଡ୍ସ ନିୟନ୍ତ୍ରଣ ସୋସାଇଟିରେ କାମ କରି ଅର୍ଥ ଉପାର୍ଜନ କରି ସ୍ବାଧୀନ ଭାବେ ଜୀବନ ନିର୍ବାହ କଲେ। ଏବେ ‘ସାଥୀ’ ଏନ୍ଜିଓରେ କାର୍ଯ୍ୟ କରୁଛନ୍ତି ଓ ଏହା ମାଧ୍ୟମରେ ଏଚ୍ଆଇଭି ସଂକ୍ରମିତ ମହିଳାଙ୍କ ଯନତ୍ ନେଉଛନ୍ତି। କେବଳ ଏତିକି ନୁହେଁ, ଆର୍ଥିକ ସମସ୍ୟାରେ ରହୁଥିବା ଏଭଳି ମହିଳାଙ୍କୁ ସାହାଯ୍ୟ କରୁଛନ୍ତି। ନିଜ ସଞ୍ଚିତ ଅର୍ଥରୁ ସେ ଏହା କରନ୍ତି। ଏବେ ସୁଦ୍ଧା ଏଚ୍ଆଇଭି ପୀଡ଼ିତ ୨୦୦ରୁ ଊର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିସାରିଲେଣି। ଯେଉଁ ମହିଳାମାନେ ଏଚ୍ଆଇଭି ସଂକ୍ରମଣ ଲୁଚାଉଛନ୍ତି, ସେମାନଙ୍କୁ ସୁରିନ୍ଦର ବୁଝାଶୁଝା କରି ଚିକିତ୍ସାର ବନ୍ଦୋବସ୍ତ କରୁଛନ୍ତି। ଏନ୍ଜିଓ କାର୍ଯ୍ୟନିର୍ଘଣ୍ଟ ବାହାରେ ସେ ନିଜ ଖର୍ଚ୍ଚରେ ପୀଡ଼ିତାଙ୍କ ନିକଟରେ ପହଞ୍ଚୁଛନ୍ତି ଓ ସେମାନଙ୍କ ଭଲମନ୍ଦ ମଧ୍ୟ ବୁଝୁଛନ୍ତି ।


