ଏଇ ଭାରତରେ

ଧର୍ମନଗରୀ କାଶୀ ସହ ସେଠାକାର ଲୋକଙ୍କ ଦିବ୍ୟସମ୍ପର୍କ ରହିଛି। ସେମାନଙ୍କ ବିଶ୍ୱାସକୁ ଆଧାରକରି ସେଠାରେ ଦଣ୍ଡାୟମାନ ହୋଇଛି ରାମରମାପତି ବ୍ୟାଙ୍କ। କାଶୀ ବିଶ୍ୱନାଥ ଧାମ ନିକଟ ତ୍ରିପୁରା ଭୈରବୀ ଗଳିରେ ରହିଛି ଏହି ବ୍ୟାଙ୍କ। ଏଠାରେ ଶ୍ରୀରାମଙ୍କ ନାମର ନେଣଦେଣ ହୋଇଥାଏ। ଶ୍ରଦ୍ଧାଳୁ ସେମାନଙ୍କ ମନସ୍କାମନା ପୂରଣ ଲାଗି ବ୍ୟାଙ୍କରୁ ରାମନାମ ଋଣ ନେଇଥାଆନ୍ତି। ମନସ୍କାମନା ପୂରଣ ହେବା ପରେ ଋଣୀ ନିଜେ ଆସି ତାହା ଜମା କରିଦିଅନ୍ତି। ଏହି ଧାରାରେ ୯୫ ବର୍ଷରେ ବ୍ୟାଙ୍କର ପୁଞ୍ଜି ଭାବେ ବହୁ କୋଟି ଶ୍ରଦ୍ଧାଳୁଙ୍କ ନାମ ଜମା ହୋଇସାରିଛି। ବ୍ୟାଙ୍କରୁ ଋଣ ନେବା ଲାଗି ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁ ଆସୁଛନ୍ତି। ରାମନାମ ଋଣ ଲାଗି ଆହାର ବିହାରରେ ସଂଯମତା ଲୋଡ଼ା। ମିଥ୍ୟା ଛାଡ଼ିବା ଜରୁରୀ। ଋଣ ଅନୁସାରେ ରାମନାମ ଲେଖିବାକୁ ହୁଏ। ରାମନାମ ଲିଖନ, ରାମନାମ ପଠନ ଓ ରାମନାମ ଜପ କରିବାକୁ ପଡ଼ିଥାଏ। ପ୍ରତିଦିନ ୫୦୦ ହିସାବରେ ୧୦ ଦିନ ରାମନାମ ଲେଖିବା, ୨୧ ମାସ ଯାଏ ରାମନାମ ପାଠ କରିବା ଏବଂ ୩ ବର୍ଷ ରାମନାମ ଜପ କରିବାକୁ ହୋଇଥାଏ। ରାମନାମ ଲେଖା ପୂରଣ ହେଲେ ତାହାକୁ ପୁଟୁଳିରେ ବାନ୍ଧି ବ୍ୟାଙ୍କରେ ଜମା କରାଯାଏ। ଲେଖିବା ଲାଗି ବ୍ୟାଙ୍କରୁ କାଗଜ, କଲମ ଯୋଗାଇ ଦିଆଯାଇଥାଏ। ରାମରମାପତି ବ୍ୟାଙ୍କରେ ଜମା ଆକାରରେ ସଂଗ୍ରହ ହୋଇଥିବା ରାମନାମ ରାମନବମୀଠାରୁ ଦଶଦିନ ଯାଏ ଶ୍ରଦ୍ଧାଳୁଙ୍କୁ ଦେଖିବାର ସୁଯୋଗ ମିଳିଥାଏ।