ଏଇ ଭାରତରେ

ଦାରିଦ୍ର୍ୟ ଜୀବନ ବିତାଉଥିବା ଝାଡ଼ଖଣ୍ଡର ଶବର ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ ସୁଚିତ୍ରା ସିହ୍ନା। ସେ ୩୦୦ ଶବର ପରିବାରକୁ ରୋଜଗାରକ୍ଷମ କରିପାରିଛନ୍ତି। ବାଉଁଶ ଓ କଞ୍ଜି ଘାସରେ ଟୋକେଇ, ପାଛିଆ, ପେନ୍‌ ଷ୍ଟାଣ୍ଡ ଓ ବହୁ ଘରକରଣା ସାମଗ୍ରୀ ଆଦି ତିଆରି କରିବାରେ ସେ ୨୫ଟି ଗାଁର ପରିବାରଗୁଡ଼ିକୁ ନିୟୋଜିତ କରିଛନ୍ତି। ଝାଡ଼ଖଣ୍ଡ ରାଜଧାନୀଠାରୁ ୬୦ କି.ମି. ଦୂରରେ ରହିଛି ଏହି ସବୁ ଗାଁ। ୨୦୧୯ରେ ସୁଚିତ୍ରା ଅବସର ନେବା ପରେ ‘ଅମ୍ବିକା’ ଏନ୍‌ଜିଓ ଗଠନ କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ବୁଣାଯାଉଥିବା ସାମଗ୍ରୀଗୁଡ଼ିକୁ ଆକର୍ଷଣୀୟ କରିବା ଲାଗି କିଛି ହସ୍ତକଳାକାରମାନଙ୍କୁ ନିୟୋଜିତ କରାଯାଇଛି। ଏ ସମ୍ପର୍କରେ ବି ଆଦିବାସୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ସର୍ବନିମ୍ନ ମୂଲ୍ୟ ୩୦୦ ଟଙ୍କା ରହିଥିବାବେଳେ ସବୁଠୁ ବେଶି ମୂଲ୍ୟ ରହିଛି ୩,୦୦୦ ଟଙ୍କା। ପ୍ରତ୍ୟେକ ପରିବାର ମାସକୁ ୭ରୁ ୮ ହଜାର ରୋଜଗାର କରୁଛନ୍ତି । ପ୍ରଶିକ୍ଷଣ ନେବା ପରେ ଏବେ ସେମାନେ ୧୦୪ ପ୍ରକାର ଜିନିଷ ତିଆରି କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହିସବୁ ସାମଗ୍ରୀ ଅନ୍‌ଲାଇନ ପ୍ଲାଟଫର୍ମରେ ପାଇବାର ବ୍ୟବସ୍ଥା କରିଛନ୍ତି ସୁଚିତ୍ରା।