ଏଇ ଭାରତରେ

ଦେଶରୁ ଘରଚଟିଆ ବଂଶ ଲୋପ ପାଇଯାଉଥିବାବେଳେ ସେମାନଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି ରାକେଶ ଖତ୍ରି। ସେ ଏହି ପକ୍ଷୀଙ୍କ ପାଇଁ ହାତରେ ବସା ତିଆରି କରୁଛନ୍ତି। ଏବେ ସୁଦ୍ଧା ସେ ୨.୫ ଲକ୍ଷ ବସା ତିଆରି କରିସାରିଲେଣି ଏବଂ ୧୦ ଲକ୍ଷ ପିଲାଙ୍କୁ ଏହାର ନିର୍ମାଣ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଛନ୍ତି। ପକ୍ଷୀ ସୁରକ୍ଷା ସକାଶେ ସେ ବ୍ୟବସାୟ ଛାଡ଼ିଦେଇଛନ୍ତି ଓ ଜଣେ ପରିବେଶବିତ୍‌ ଭାବେ ଦୁଇ ଦଶନ୍ଧି ହେବ ଘରଚଟିଆ ବଂଶ ସୁରକ୍ଷା ସକାଶେ ଅଭିଯାନ ଚଳାଇଛନ୍ତି। ପ୍ରଥମେ ସେ ନଡ଼ିଆକତା ଏବଂ ଖବରକାଗଜରେ ବସା ନିର୍ମାଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସେ ବସାରେ ବାଉଁଶ କାଠି ବ୍ୟବହାର କରି ତାହାକୁ ମଜଭୁତ କରିଥିଲେ ଏବଂ ସେଗୁଡ଼ିକୁ ଦିଲ୍ଲୀସ୍ଥିତ ତାଙ୍କ କଲୋନିର ବିଭିନ୍ନ ସ୍ଥାନରେ ଲଗାଇଥିଲେ। କିଛିଦିନ ପରେ ୪ଟି ଘରଚଟିଆ ଆସି ବସାରେ ରହିଥିଲେ ଏବଂ ତାହା ରାକେଶଙ୍କୁ ଖୁବ୍‌ ଉତ୍ସାହିତ କରିଥିଲା। ଏହା ପରଠାରୁ ସେ ୨.୫ ଲକ୍ଷ ବସା ତିଆରି କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଲଗାଇଛନ୍ତି। କେବଳ ଏତିକି ନୁହେଁ, ସେ ପିଲାମାନଙ୍କୁ ମଧ୍ୟ ଜଳବାୟୁ ପରିବର୍ତ୍ତନ ଏବଂ ଇ-ଓ୍ବେଷ୍ଟ ରିସାଇକିଲିଂ ଉପରେ ପ୍ରଶିକ୍ଷଣ ଦେଉଛନ୍ତି।