ଏଇ ଭାରତରେ

କୁଷ୍ଠରୋଗୀ ଓ ସେମାନଙ୍କ ପରିବାର ପ୍ରତି ଏବେ ମଧ୍ୟ ସମାଜରେ ଭିନ୍ନ ଚିନ୍ତାଧାରା ବଳବତ୍ତର ରହିଛି। ସେମାନଙ୍କୁ ସାମାଜିକ ସ୍ତରରେ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଛି। ଦୈନନ୍ଦିନ ଜୀବନ ଘାତ ପ୍ରତିଘାତ ମଧ୍ୟରେ କଟୁଛି। ହେଲେ ଏସବୁ ସମସ୍ୟା ଦୂର କରିବାକୁ ଦିଲ୍ଲୀର ଜୟା ରଡ୍ଡି ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛନ୍ତି। ବିନା ପାରିଶ୍ରମିକରେ ସେ ଦିଲ୍ଲୀର ଆନନ୍ଦ ପର୍ବତ କଲୋନୀରେ ରହୁଥିବା ୫୨ଟି ପରିବାର ପାଇଁ ଦେବଦୂତ ପାଲଟିଛନ୍ତି। ଏହି ପରିବାରର ବହୁ କୁଷ୍ଠ ରୋଗୀ ରହିଛନ୍ତି। ସେମାନେ ଭିକ୍ଷାବୃତ୍ତି ଆପଣାଉଛନ୍ତି। ହେଲେ ବହୁ ସମୟରେ ସେମାନେ ଏହି କାର୍ଯ୍ୟ ନ କରିପାରି ଭୋକରେ ଦିନ କାଟନ୍ତି। ଏହା ଦୂର କରିବା ଲାଗି ଜୟା ସେମାନଙ୍କ ନିକଟରେ ରାଶନ ସାମଗ୍ରୀ ପହଞ୍ଚାଉଛନ୍ତି। ଏପରିକି ରନ୍ଧାଖାଦ୍ୟ ମଧ୍ୟ ଯୋଗାଉଛନ୍ତି। ସେମାନଙ୍କୁ ହସ୍ପିଟାଲ ନେବା, କୌଣସି ସରକାରୀ ଅଫିସ୍‌ରେ କାର୍ଯ୍ୟ ଥିଲେ ସେଠାରେ ସେମାନଙ୍କ ପାଇଁ ଲାଇନ୍‌ରେ ରହି ତାହା ସମ୍ପାଦନ କରୁଛନ୍ତି। ସେ କୁଷ୍ଠରୋଗୀଙ୍କ ପିଲାମାନଙ୍କୁ ବହି ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ଯୋଗାଉଛନ୍ତି। ଜୟାଙ୍କ ବାଲ୍ୟକାଳ କଷ୍ଟରେ କଟିଥିଲା। ତାଙ୍କ ମା’ବାପା ବି କୁଷ୍ଠରୋଗଗ୍ରସ୍ତ ହେବା ଦ୍ୱାରା ଜୟା ସାମାଜିକ ସ୍ତରରେ ଓ ସ୍କୁଲରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ୧୦ମ ଯାଏ ପଢ଼ିବା ପରେ ସେ କୁଷ୍ଠରୋଗୀଙ୍କ ସେବା ଆରମ୍ଭ କରିଥିଲେ। ତେବେ ୨୦ ବର୍ଷ ଧରି ତାଙ୍କର ଏହି ସେବା ଦ୍ୱାରା ବହୁ ପରିବାର ଉପକୃତ ହେବା ସହ ସେମାନଙ୍କ ପିଲାମାନେ ଶିକ୍ଷାର ମୁଖ୍ୟଧାରାରେ ଆଗକୁ ବଢ଼ିପାରିଛନ୍ତି।