ଏଇ ଭାରତରେ

ଖାଦ୍ୟ ଖାଇବା କିମ୍ବା ପରଷିବାରେ ବ୍ୟବହୃତ ପ୍ଲାଷ୍ଟିକ୍‌ କଟଲେରି (ଛୁରୀ, କଣ୍ଟାଚାମଚ, ଚାମଚ) ଗ୍ଲାସ, କପ୍‌ ଆଦି ଜିନିଷର ବିକଳ୍ପ ଏଡିବଲ (ଖାଇବାଯୋଗ୍ୟ) ଦ୍ରବ୍ୟ ପ୍ରସ୍ତୁତ କରିଛନ୍ତି ପୁନିତ ଦତ୍ତ। ସେସବୁ ଏଡିବଲ ଜିନିଷ ବ୍ୟବହାର ପରେ ତାହାକୁ ଖାଇ ହେଉଛିି। ଫଳରେ ପ୍ଲାଷ୍ଟିକ୍‌ ଓ ଥର୍ମକୁଲ ବ୍ୟବହାର କମାଯାଇପାରୁଛି। ଏଡିବଲ କଟ୍‌ଲେରି ଷ୍ଟାର୍ଟଅପ୍‌ ଦ୍ୱାରା ବହୁ ଗବେଷଣା ପରେ ଏସବୁ ଜିନିଷକୁ ତିଆରି କରିବା ଲାଗି ପୁନିତଙ୍କୁ ୬ ବର୍ଷ ଲାଗିଛି। ୨୦୧୯ରେ ସେ ଆଟାଓ୍ବେର ବାୟୋଡିଗ୍ରେଡବଲ ପ୍ରାଇଭେଟ୍‌ ଲିମିଟେଡ ପ୍ରତିଷ୍ଠା କରି ଏହିସବୁ ଏଡିବଲ କଟ୍‌ଲେରି ପ୍ରସ୍ତୁତ କରୁଛନ୍ତି। ସବୁଠୁ ସ୍ବତନ୍ତ୍ର ହେଉଛି ପୁନିତଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା କପ୍‌। ଏଥିରେ ଚା’ପିଇବେ ଓ ତାହାକୁ ଖାଇପାରିବେ। ଫଳରେ ସେଗୁଡ଼ିକୁ ଆଉ ବାହାରେ ଫିଙ୍ଗିବାକୁ ପଡୁନାହଁି। ପ୍ରତି ସପ୍ତାହରେ ସେ ୯.୫ ଲକ୍ଷ ଏଡିବଲ କପ୍‌ ବିକ୍ରି କରୁଛନ୍ତି। ଅଦା, ଅଳେଇଚ, ଲେମ୍ବୁ, ଭାନିଲା, କଫି, ଷ୍ଟ୍ରବେରି ଆଦି ୯ଟି ସ୍ବାଦର କପ୍‌ ସେ ତିଆରି କରୁଛନ୍ତି। ଆଟାଓ୍ବେର୍‌ର ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଏହିି ସବୁ ଜିନିଷ ବ୍ୟବହାର ୯୦ ଟନ୍‌ ପ୍ଲାଷ୍ଟିକ୍‌ ଉପଯୋଗ କମ୍‌ କରିପାରିଛି। କେବଳ ଏତିକି ନୁହେଁ, ଏହାକୁ ଧୋଇବାକୁ ପଡୁ ନ ଥିବାରୁ ୩୫ଲକ୍ଷ ଲିଟର ପାଣି ବଞ୍ଚୁଛି।