ଏଇ ଭାରତରେ

ଓକିଲାତି ଛାଡ଼ି ଘରଦ୍ୱାର ଜମିବାଡ଼ି ବିକ୍ରି କରି ମାଗଣାରେ ହେଲ୍‌ମେଟ ବାଣ୍ଟୁଛନ୍ତି ରାଘବେନ୍ଦ୍ର କୁମାର। ତାଙ୍କୁ ମଧ୍ୟ ଭାରତର ‘ହେଲ୍‌ମେଟ ମ୍ୟାନ’ ବୋଲି କୁହାଯାଉଛି। ସେ ଏବେ ୨୨ଟି ରାଜ୍ୟରେ ୫୦,୦୦୦ରୁ ଅଧିକ ହେଲ୍‌ମେଟ ବାଣ୍ଟି ସାରିଲେଣି। ୭ ବର୍ଷ ପୂବେ ଦିଲ୍ଲୀରେ ଏକ ରାସ୍ତା ଦୁର୍ଘଟଣାରେ ରାଘବେନ୍ଦ୍ରଙ୍କ ସାଙ୍ଗ କୃଷ୍ଣକୁମାରଙ୍କ ମୃତ୍ୟୁ ହୋଇଥିଲା ଓ ହେଲ୍‌ମେଟ ନ ଥିବା ଯୋଗୁ ଏହା ଘଟିଥିଲା। ଏହି ଦୁର୍ଘଟଣା ପରେ ସେ ହେଲ୍‌ମେଟ ବଣ୍ଟନ ଆରମ୍ଭ କରିଥିଲେ। ରାଘବେନ୍ଦ୍ରଙ୍କ ଘର ବିହାରର କଇମ୍‌ପୁର ଜିଲାର ଏକ ଛୋଟ ଗାଁରେ। ରହୁଛନ୍ତି ଗ୍ରେଟର ନଏଡାରେ। ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ କରିବା ଲାଗି ସେ ୨୦୧୮ରେ ଓକିଲାତି ଛାଡ଼ି ଦେଇଛନ୍ତି ଓ ଜମି ମଧ୍ୟ ବିକ୍ରି କରିଦେଇଛନ୍ତି। ଏପରି କି ହେଲ୍‌ମେଟ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ସେ କାର୍‌ ଚଳାଇବାବେଳେ ହେଲ୍‌ମେଟ ପିନ୍ଧୁଛନ୍ତି। ଏହା ବ୍ୟତୀତ ରାଘବେନ୍ଦ୍ର ସ୍କୁଲ ଓ କଲେଜରେ ପଢୁଥିବା ପାଖାପାଖି ୮.୫ ଲକ୍ଷ ଗରିବ ପିଲାମାନଙ୍କୁ ବହି ବାଣ୍ଟି ସାରିଲେଣି। ସେ ଗ୍ରେଟର ନଏଡାରେ ଏକ ବୁକ୍‌ ବ୍ୟାଙ୍କ ଖୋଲି ବହି ସଂଗ୍ରହ କରି ତାହାକୁ ବାଣ୍ଟୁଛନ୍ତି। ଅଧିତ୍କ ବହି ବ୍ୟାଙ୍କକୁ ଆସିବା ପରେ ଏହାକୁ ସେ ବିହାର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀକୁ ସମ୍ପ୍ରସାରିତ କରିଛନ୍ତି। ସେ ମଧ୍ୟ ବହୁ ଗାଁରେ ମିନି ଲାଇବ୍ରେରି ପ୍ରତିଷ୍ଠା କରୁଛନ୍ତି। ଏହି କାର୍ଯ୍ୟ ଲାଗି ରାଘବେନ୍ଦ୍ର ତାଙ୍କ ଗ୍ରେଟର ନଏଡାସ୍ଥିତ ଘରକୁ ୪୫ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛନ୍ତି।