ଏଇ ଭାରତରେ

ସହରରେ ଏବେ ଛାତ ଉପରେ ଚାଷ କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ସେମାନଙ୍କ ପାଇଁ ଥାନେ ସୋସାଇଟି ପଥପ୍ରଦର୍ଶନ ପାଲଟିବ ବୋଲି କୁହାଯାଇପାରେ। କାରଣ ଏହି ସୋସାଇଟିର ସଦସ୍ୟମାନେ ଛାତ ଉପରେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ଏମାନେ କେବଳ ଚାଷ କରୁନାହାନ୍ତି, ଛାତ ଉପରେ ସୌରଶକ୍ତି ଉପତ୍ାଦନ କରି ତାହାକୁ ମହାରାଷ୍ଟ୍ର ସରକାରଙ୍କୁ ବିକ୍ରି କରୁଛନ୍ତି। ବିଦ୍ୟୁତ୍‌ ଶକ୍ତି ବିଲ୍‌ ବାବଦରେ ମାସକୁ ସେମାନେ ୪୦ ହଜାର ଟଙ୍କା ହିସାବରେ ବର୍ଷକୁ ପାଖାପାଖି ୫ ଲକ୍ଷ ଟଙ୍କା ବଞ୍ଚାଇ ପାରୁଛନ୍ତି। ୩୦ କିଲୋଓ୍ବାଟର ଏହି ସୋଲାର ପ୍ଲାଣ୍ଟ ପାଇଁ ଏମାନେ ୨୦ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଏଥିପାଇଁ କେହି ଜଣେ ବି ଟଙ୍କା ଦେଇନାହାନ୍ତି। ସବୁ କିଛି ସୋଲାର ପ୍ଲାଣ୍ଟ ସପ୍ଲାୟର ସହ ଚୁକ୍ତି କରି କରାଯାଇଛିି। ପ୍ରତିଦିନ ଏଥିରୁ ୧୪୦ ୟୁନିଟ୍‌ ଶକ୍ତି ମିଳୁଛି। ସୋସାଇଟିର ନେତୃତ୍ୱ ନେଉଛନ୍ତି ରିନି ଭର୍ଗିସ। ମୋଟରେ ୧୫୦ ବକେଟ୍‌ରେ ଚାଷ କରାଯାଉଛି। ଗୋଟିଏ ବକେଟ୍‌ର ଓଜନ ପ୍ରାୟ ୪୦ କେ.ଜି.। ସଦସ୍ୟମାନେ ଏହାକୁ ଲିଫ୍ଟ ମାଧ୍ୟମରେ ଛାତ ଉପରକୁ ନେଉଛନ୍ତି। ଚାଷରେ ସେମାନେ ଗୋବର ଓ ପରିବା ଚୋପାର ଖତ ବେଶି ଉପଯୋଗ କରୁଛନ୍ତି। ମୁଖ୍ୟତଃ ଟମାଟୋ, ବାଇଗଣ, ଶାଗ, ପୋଇ ଓ ଭେଣ୍ଡି ଆଦି ପରିବା ଚାଷ କରାଯାଉଛି। ସଦସ୍ୟମାନେ ପ୍ରତିଦିନ ଚାଷରେ ଘଣ୍ଟାଏ ସମୟ ଦେଉଛନ୍ତି।