ଏଇ ଭାରତରେ

ଦେଶରେ ଲକ୍‌ଡାଉନ ଲାଗୁ ହେବା ପରେ ଛୋଟ ଛୋଟ ଦୋକାନୀଙ୍କ ବ୍ୟବସାୟ ପୂରା ମାନ୍ଦା ହୋଇଯାଇଛି। ଏମିତିକି ବହୁ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଛନ୍ତି। ଏମିତି ପରିସ୍ଥିତିରେ ମହାରାଷ୍ଟ୍ରର ସତାରା ନିବାସୀ ସୁମିତ ଶାହା ‘ଦୁକାନ’ ଆପ ଆରମ୍ଭ କରି ଛୋଟ ସହରଗୁଡିିକର ପ୍ରାୟ ୪ ଲକ୍ଷ ଦୋକାନୀଙ୍କୁ ସଶକ୍ତ କରିପାରିଛନ୍ତି। ବ୍ୟବସାୟୀମାନେ ଏହି ଆପ୍‌ ମାଧ୍ୟମରେ ସେମାନଙ୍କ ସାମଗ୍ରୀ ବିକ୍ରୟ କରି ଏବେ ବେଶ୍‌ ଲାଭ ପାଉଛନ୍ତି। ୨୦୧୩ ରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ସୁମିତ ମାର୍କେଟିଂ ଓ ଓ୍ବେବ୍‌ସାଇଟ୍‌ ଡେଭଲପ୍‌ମେଣ୍ଟ ଉପରେ ଅନଲାଇନ କୋର୍ସ କରିଛନ୍ତି। ଏହା ପୂର୍ବରୁ ବେଙ୍ଗାଲୁରୁରେ ସେ ଡିଜିଟାଲ ମାର୍କେଟିଂ ଓ ଆଡ୍‌ଭାର୍ଟାଇଜିଂ ଏଜେନ୍ସିର ଏକ ଷ୍ଟାର୍ଟଅପ୍‌ ଖୋଲିଥିଲେ। ମେ’ମାସରେ ବେଙ୍ଗାଲୁରୁର ଏକ ଦୋକାନର ମେସେଜ ତାଙ୍କ ପାଖକୁ ଆସିଥିଲା। ସେଥିରେ ସେହି ଦୋକାନ ହ୍ବାଟ୍ସଆପ୍‌ ଜରିଆରେ ଅର୍ଡର ରଖି ସାମଗ୍ରୀ ଘରେ ପହଞ୍ଚାଇ ଦେବ ବୋଲି ଦର୍ଶାଯାଇଥିଲା। ଏହା ଦେଖିବା ପରେ ଦୋକାନୀମାନଙ୍କୁ ସାହାଯ୍ୟ କରିବା ଲାଗି ସୁମିତ ‘ଦୁକାନ’ ଆପ୍‌ ବିକାଶ କରିବା ଲାଗି ଆଗକୁ ବଢ଼ିଥିଲେ। ଜୁନ୍‌ ପ୍ରଥମ ସପ୍ତାହରେ ସେ ଏହି ଆପ୍‌ ଆରମ୍ଭ କରିଥିଲେ। ଏବେ ସୁମିତଙ୍କ ସହ ୧୦ ଜଣ ସଦସ୍ୟ ରହି ଏହାକୁ ପରିଚାଳନା କରୁଛନ୍ତି। ଏହା ଆରମ୍ଭ ହେବାର ୨୦ ଦିନ ମଧ୍ୟରେ ଭାରତର ୪୦୦ ସହରର ୧ ଲକ୍ଷରୁ ଅଧିକ ଦୋକାନ ଏଥିରେ ପଞ୍ଜୀକୃତ ହୋଇଥିଲେ। ଏବେ ଦେଶରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଦୋକାନ ଏଥିରେ ପଞ୍ଜୀକୃତ ହୋଇସାରିଛନ୍ତି ଓ ପ୍ରାୟ ୨ ଲକ୍ଷ ଉପତ୍ାଦ ବିକ୍ରି କରିବାକୁ ଅପେକ୍ଷାରେ ରହିଛନ୍ତି।