ଏଇ ଭାରତରେ

ଦେଶରେ ବିଭାଜନକାରୀ ଶକ୍ତି ତଥା ମାନବିକତାର ଶତ୍ରୁମାନଙ୍କ ପାଇଁ ହାଜି ଦିଲାବର ହୁସେନ୍‌ଙ୍କ ସାମାଜିକ ଏକତାର ଏକ ବଡ ଉଦାହରଣ। ସେ ପଞ୍ଜାବର ବାବା ଫରିଦଙ୍କ ନଗରୀ ଫରିଦକୋର୍ଟରେ ଅଚିହ୍ନା ଶବ ସଂସ୍କାର କରୁଛନ୍ତି । ମୃତବ୍ୟକ୍ତି ଯଦି ହିନ୍ଦୁ କିମ୍ବା ଶିଖ୍‌ ହୋଇଥାନ୍ତି ତେବେ ହୁସେନ୍‌ ସେମାନଙ୍କୁ ଶ୍ମଶାନକୁ ନେଇ ଯଥା ବିଧିରେ ଦାହ କରୁଛନ୍ତି। ମୁସଲମାନଙ୍କ ଶବକୁ କବରସ୍ଥଳକୁ ନେଇ କବର ଦେଉଛନ୍ତି। ହୁସେନଙ୍କର ଏହି ମାନବୀୟ ସେବାକୁ ତାଙ୍କ ପଡ଼ୋଶୀମାନେ ପସନ୍ଦ କରୁନାହାନ୍ତି, ହେଲେ ସେ କାହା କଥା ନ ଶୁଣି ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେଇଚାଲିଛନ୍ତି। ଫରିଦକୋର୍ଟରେ ମେଡିକାଲ କଲେଜ ଥିବାରୁ ରାଜ୍ୟର ବିଭିନ୍ନ ଜିଲା ତଥା ପଡୋଶୀ ରାଜସ୍ଥାନରୁ ବହୁ ଅଚିହ୍ନା ଶବ ପୋଷ୍ଟମର୍ଟମ ପାଇଁ ଆସିଥାଏ। ପୋଷ୍ଟମର୍ଟମ ଶେଷ ହେବା ପରେ ତାହାକୁ ନେଇ ଅନ୍ତିମ ସଂସ୍କାର କରିଥାନ୍ତି ଓ ଏହା କରିବା ଦ୍ୱାରା ତାଙ୍କୁ ଶାନ୍ତି ମିଳେ ବୋଲି କହନ୍ତି ହୁସେନ୍‌। ଫରିଦକୋର୍ଟ ସାହାରା ସୋସାଇଟିର ମୁଖ୍ୟ ଅଶୋକ ଭଟ୍‌ନଗର ହୁସେନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି। ଏବେସୁଦ୍ଧା ହୁସେନ୍‌ ଶହ ଶହ ଶବ ସଂସ୍କାର କରିସାରିଲେଣି। ରାମବାଗ ଶ୍ମଶାନଘାଟରେ ସେ ଅଧିକାଂଶ ଶବ ସଂସ୍କାର କରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସେବା ଅଟକି ଯାଇନାହିଁ, ବରଂ କରୋନା ମହାମାରୀ ସମୟରେ ସେ ଲୋକଙ୍କ ଲାଗି ମଧ୍ୟ ଦେବଦୂତ ସାଜିଛନ୍ତି। ନିଜ ଖର୍ଚ୍ଚରେ ଅନେକଙ୍କୁ ରାଶନ ସାମଗ୍ରୀ ବାଣ୍ଟିଛନ୍ତି। ଗୋଶାଳା ଯାଇ ସେଠାରେ ଗୋରୁଙ୍କ ଯତ୍ନ ନେଉଛନ୍ତି।