ଏଇ ଭାରତରେ

ମରୁଡ଼ିମୁକ୍ତ ଗାଁର ସ୍ବପ୍ନ ସାକାର କରୁଛନ୍ତି ରାହୁଲ ବକାରେ। ପୁଣେ ବାସିନ୍ଦା ରାହୁଲ ଏକ ନୂଆ ମେଶିନ ‘ବୋର୍‌ ଚାର୍ଜର’ ନିର୍ମାଣ କରିଛନ୍ତି ଓ ଏହା ଭୂତଳ ଜଳ ସ୍ତର ବୃଦ୍ଧି କରୁଛି। ଫଳରେ ବିଭିନ୍ନ ଅଞ୍ଚଳରେ ବୋର୍‌ଓ୍ବେଲରୁ ପର୍ଯ୍ୟାପ୍ତ ପାଣି ମିଳୁଛି। ମହାରାଷ୍ଟ୍ରର ପଶ୍ଚିମଘାଟ ପର୍ବତମାଳା ପାଦଦେଶର ବହୁ ଗାଁ ଏବେ ରାହୁଲଙ୍କ ପ୍ରୟାସ ଯୋଗୁ ପାଣି ପାଉଛନ୍ତି ଓ ଜଳ ପରିଚାଳନା ନୀତି ଗଠନ କରି ଜଳାଭାବ ଦୂର କରିବାକୁ ସକ୍ଷମ ହୋଇଛନ୍ତି। କେବଳ ମହାରାଷ୍ଟ୍ର ନୁହେଁ, ଦେଶର ବିଭିନ୍ନ ରାଜ୍ୟର ମରୁଡ଼ିପ୍ରବଣ ଅଞ୍ଚଳରେ ଉକ୍ତ ମେଶିନ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧି କରିବା ଦ୍ୱାରା ସେଠାରେ ପାନୀୟ ଜଳ ସମସ୍ୟା ଦୂର ହୋଇଛି। ସେ ଊର୍ଦ୍ଧ୍ୱମ୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଟେକ୍ନୋଲୋଜି କମ୍ପାନୀ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ୫୦ ବର୍ଷୀୟ ରାହୁଲ ଆମେରିକାରେ ଶିକ୍ଷା ଲାଭ କରି ସଫ୍ଟଓ୍ବେର ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ପରେ ଭାରତ ଫେରିଆସି ଏହି କାର୍ଯ୍ୟରେ ଲାଗିଛନ୍ତି। ବୋର୍‌ ଚାର୍ଜର ଟେକ୍ନୋଲୋଜି ଭୂପୃଷ୍ଠରୁ ମଧୁର ଜଳକୁ ୬୦୦ ଫୁଟ ଗଭୀରକୁ ପ୍ରବେଶ କରାଇ ଭୂତଳ ଜଳକୁ ୨୦୦ରୁ ୫୦ ଫୁଟ୍‌ ମଧ୍ୟରେ ରଖିପାରୁଛି। ଭାରତର ୮ଟି ରାଜ୍ୟ ଓ ପଶ୍ଚିମ ଆଫ୍ରିକାରେ ୧୫,୦୦୦ରୁ ଅଧିକ ବୋର୍‌ ଚାର୍ଜର ଲଗାଇ ସେ ୧୬୫ କୋଟି ଲିଟର ଜଳ ରିଚାର୍ଜ କରି ପାରିଛନ୍ତି।