ଏଇ ଭାରତରେ

ବିଲୁପ୍ତି ପଥରେ ଥିବା ବିରଳ ପ୍ରଜାତିର ଜୀବଙ୍କ ସୁରକ୍ଷାକୁ ଗମ୍ଭୀରତାର ସହ ନେଇଛନ୍ତି ଅରୁଣିମା ସିଂହ। ସେ ଦୀର୍ଘ ୮ ବର୍ଷ ହେବ ଏକାକୀ ବିଭିନ୍ନ ପ୍ରଜାତିର କଇଁଛଙ୍କ ସୁରକ୍ଷାରେ ଲାଗିଛନ୍ତି। ବହୁ କଠିନ ପରିସ୍ଥିତିର ସାମ୍‌ନା କରି ଏବେ ସୁଦ୍ଧା ଅରୁଣିମା ୨୮,୦୦୦ କଇଁଛଙ୍କ ଜୀବନ ବଞ୍ଚାଇବା ସହ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିଛନ୍ତି। କେବଳ କଇଁଛ ନୁହେଁ, ବିରଳ ପ୍ରଜାତିର ୬ କୁମ୍ଭୀର ଓ ଗଙ୍ଗାରେ ଥିବା ୨୫ ଡଲ୍‌ଫିନ ଉଦ୍ଧାର କରିଛନ୍ତି। ଲକ୍ଷ୍ନୌ ନିବାସୀ ଅରୁଣିମା ୨୦୧୩ରୁ ଟର୍ଟଲ ସର୍ଭାଇଭାଲ ଆଲାଏନ୍ସ (ଟିଏସ୍‌ଏ)ର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେ କଇଁଛ ସୁରକ୍ଷା ଅଭିଯାନର ନେତୃତ୍ୱ ନେଇ ୨୮,୦୦୦ କଇଁଛ ଉଦ୍ଧାର କରିବା କିଛି କମ୍‌ କଥା ନୁହେଁ। ଏହାସହ ସେ ଟିଏସ୍‌ଏ ମାଧ୍ୟମରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୫୦,୦୦୦ ପିଲାଙ୍କୁ କଇଁଛ ଏବଂ ଅନ୍ୟ ମଧୁରଜଳ ଜୀବଙ୍କ ଜୀବନ ସୁରକ୍ଷା ଉପରେ ସଚେତନ କରିପାରିଛନ୍ତି। ସେ ୧୦ରୁ ଊର୍ଦ୍ଧ୍ୱ ପ୍ରଜାତିର ବିରଳ କଇଁଛଙ୍କୁ ଏକ ସୁରକ୍ଷିତ ଜାଗାରେ ରଖିତ୍ ସେମାନଙ୍କ ଯତ୍ନ ନେଉଛନ୍ତି। ଜଙ୍ଗଲିିଆ ସ୍ଥାନରୁ ଏମାନଙ୍କୁ ଅଲଗା ରଖାଯାଇପାରିବ ନାହିଁ ବୋଲି ଏମାନଙ୍କ ପ୍ରଜନନ ପାଇଁ ବନ ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ପରେ କଇଁଛ ଛୁଆଙ୍କୁ ନଦୀ ଓ ହ୍ରଦରେ ଛାଡୁୁଛନ୍ତି।