ଏଇ ଭାରତରେ

ଜଣେ ମହିଳାଙ୍କ ବର୍ଜ୍ୟମୁକ୍ତ ଅଭିଯାନରେ ଗୋଟିଏ ସହରର ୪୦ ପ୍ରତିଶତ ଲୋକ ସାମିଲ ହେବା କିଛି କମ୍‌ କଥା ନୁହେଁ। ମହାରାଷ୍ଟ୍ରର ମହାଡା ସହରର ମମତା ମେହେଟାଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ମମତା ୧୯୯୫ରେ କୋଙ୍କଣ ଏଜୁକେଶନ ସୋସାଇଟିରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ୨୦୦୮ରେ ଚାକିରି ଛାଡ଼ି ସହରକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭକରି ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଆରମ୍ଭ କରିଥିଲେ। ଧୀରେ ଧୀରେ ଲୋକମାନେ ତାଙ୍କ ସହ ଯୋଡ଼ିହେଲେ ।
ବର୍ତ୍ତମାନ ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମାହାଡା ସହରର ପ୍ରାୟ ୪୦ ହଜାର ଲୋକ ଏହି ଅଭିଜାନକୁ ଆଗକୁ ବଢ଼ାଇଛନ୍ତି। ମାସକୁ ପାଖାପାଖି ୧ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରାଯାଉଛି। ମମତାଙ୍କ ସ୍ବାମୀ ଓ ଝିଅ ପେସାରେ ଆଇନଜୀବୀ ଏବଂ ସେମାନେ ଏହି କାର୍ଯ୍ୟରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ସ୍ବତନ୍ତ୍ର ଗାଡ଼ିରେ ବର୍ଜ୍ୟ ସଂଗ୍ରହ କରାଯାଇ ଠୁଳ କରାଯିବା ପରେ ପୁଣେସ୍ଥିତ ଏକ ରିସାଇକ୍ଲିଂ କେନ୍ଦ୍ରକୁ ପଠାଯାଉଛି। ୨୦୧୪ରେ ଦେଶରେ ସ୍ବଚ୍ଛତା ଅଭିଯାନ ପୂର୍ବରୁ ମମତା ଏହା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଛାଡ଼ିଦେଲେ ସଂଗୃହୀତ ଅନ୍ୟ ବର୍ଜ୍ୟରେ ଖତ ତିଆରି କରାଯାଉଛି। ମମତା ଖତ ପ୍ରସ୍ତୁତି ସମ୍ପର୍କରେ ଲୋକମାନଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି।