ଏଇ ଭାରତରେ

କଷ୍ଟାର୍ଜିତ ଅର୍ଥରେ ଆରାମରେ ରହିବା କଥା ଚିନ୍ତା ନ କରି ପରିବେଶ ଓ ଜଳ ସୁରକ୍ଷାରେ ମଜ୍ଜିଯାଇଛନ୍ତି ଡ. ରାଘବେନ୍ଦ୍ର ଆର୍‌। ସେ କର୍ନାଟକର ମହୀଶୂରସ୍ଥିତ ଶେଷାଦ୍ରିପୁରମ୍‌ ଡିଗ୍ରୀ କଲେଜରେ ନ୍ୟାଶ୍‌ନାଲ ସର୍ଭିସ ସ୍କିମ୍‌ (ଏନ୍‌ଏସ୍‌ଏସ୍‌)ର ପ୍ରୋଗ୍ରାମ କୋର୍ଡିନେଟର ଭାବେ କାର୍ଯ୍ୟରତ। ୨୦୧୭ରେ ସେ ପ୍ରଥମେ ୪ଟି ପୋଖରୀ ଓ ୮ଟି ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇ ପାଖାପାଖି ୧୫୦୦ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଥିଲେ। ଛାତ୍ରମାନଙ୍କ ସହଯୋଗରେ ଏବେ ସୁଦ୍ଧା ସେ ୨୨ଟି ଅତି ପୁରାତନ ଅର୍ଥାତ୍‌ ଟିପୁ ସୁଲତାନ ଓ ବ୍ରିଟିଶ ଅମଳର ହ୍ରଦ, ପୋଖରୀ ପୁନରୁଦ୍ଧାର କରିସାରିଲେଣି। ଏଥିରେ ସ୍ଥାନୀୟ ନଗରନିଗମ ଓ ପ୍ରତ୍ନତତ୍ତ୍ୱ ବିଭାଗ ସହଯୋଗ କରୁଛି। ଏହି ଅଭିଯାନରେ ରାଘବେନ୍ଦ୍ର ୩୦୦ ପୁରୁଣା ସ୍ବେଚ୍ଛାସେବୀଙ୍କୁ ମଧ୍ୟ ସାମିଲ କରିପାରିଛନ୍ତି। ବଡ଼ କଥା ହେଉଛି, ସ୍ବେଚ୍ଛାସେବୀଙ୍କ ଖାଇବା ଖର୍ଚ୍ଚ ସମେତ ଅନ୍ୟ ସବୁ ଖର୍ଚ୍ଚ ସେ ତାଙ୍କ ପକେଟରୁ କରୁଛନ୍ତି। କରୋନା ମହାମାରୀ ଲକ୍‌ଡାଉନ ସମୟରେ ତାଙ୍କ ଦରମା ୩୦% କାଟି ଦିଆଯାଇଥିଲେ ମଧ୍ୟ ସେତେବେଳେ ସେ ଏହି କାର୍ଯ୍ୟ ଜାରି ରଖିଥିଲେ। ସ୍ଥାନୀୟ ଲୋକମାନେ ବି ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି।