ଏଇ ଭାରତରେ

ଭାରତରେ ପକ୍ଷୀମାନେ ଫସଲ ନଷ୍ଟ କରୁଥିବାରୁ ସେମାନଙ୍କୁ ତଡିବା ଲାଗି ବିଭିନ୍ନ ପ୍ରକାର ଉପାୟ କରାଯାଉଥିବାବେଳେ ତାମିଲନାଡୁର ଜଣେ କୃଷକ ସେମାନଙ୍କ ଲାଗି ଫସଲ କରୁଛନ୍ତି। କୋଏମ୍ବାଟୁର ଜିଲା ଥୋଣ୍ଡାମୁଥୁର ଗାଁର କୃଷକ ମୁଥୁ ମୁରୁଗାନ ପକ୍ଷୀମାନଙ୍କ ପାଇଁ ମକା ଓ ବାଜରା ଚାଷ କରୁଛନ୍ତି। ସେ ମୋଟ୍‌ରେ ୪ ଏକର ଜମିରେ ଚାଷ କରିଛନ୍ତି । ସଥିରୁ ଅଧ ଏକରରେ ମକା ଓ ବାଜରା ଚାଷ କରି ତାହାକୁ ପକ୍ଷୀମାନେ ଖାଇବା ପାଇଁ ଛାଡି ଦେଇଛନ୍ତି। ବର୍ତ୍ତମାନ ମୁଥୁଙ୍କୁ ବୟସ ୬୨। ସେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ପକ୍ଷୀମାନେ ଖାଦ୍ୟ ଖାଉଥିବାରୁ ଫସଲରେ କୌଣସି କୀଟନାଶକ ବ୍ୟବହାର କରୁନାହାନ୍ତି। ନବେ ଦଶକରୁ ସେ ଏଭଳି ପକ୍ଷୀମାନଙ୍କୁ ଖୁଆଇବାରେ ଲାଗିଛନ୍ତି। ପ୍ରଥମେ ସେ ତାଙ୍କ ଜମି ଚାରିକଡ଼ରେ ମକା ଓ ବାଜରା ମଞ୍ଜିବୁଣି ଗଛ କରିବା ପରେ ତାହାକୁ ପକ୍ଷୀମାନଙ୍କ ପାଇଁ ରଖୁଥିଲେ। କିନ୍ତୁ ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ଅଧ ଏକରରେ ବାଜରା ଓ ମକା ଚାଷ ଆରମ୍ଭ କରିଛନ୍ତି। ତାଙ୍କ ଗାଁକୁ ପ୍ରତିବର୍ଷ ବାହାରୁ ବହୁ ପକ୍ଷୀ ଆସିଥାନ୍ତି। କିନ୍ତୁ ଚାଷୀମାନେ ଲାଭଜନକ ଫସଲ କରିବା ଯୋଗୁ ସେମାନେ ଖାଦ୍ୟ ପାଇପାରନ୍ତିନି। ଏଣୁ ମୁରୁଗାନ ସେମାନଙ୍କ ପାଇଁ ଏଭଳି ଉପାୟ କରିଛନ୍ତି। ସେ ପକ୍ଷୀମାନଙ୍କ ପାଇଁ ଫସଲରେ ୩,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେ ତାଙ୍କ ଫାର୍ମ ଚାରି ପାଖରେ କଣ୍ଟାଗଛ,ଜଡାଗଛ ଏବଂ କିଛି ଜଙ୍ଗଲି ଗଛ ଲଗାଇ ବାଡ କରିଛନ୍ତି। ବହୁ ପକ୍ଷୀ ସେହି ଗଛରେ ରହୁଛନ୍ତି ।