ଏଇ ଭାରତରେ

କରୋନା ସମୟରେ ସମାଜରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ଯୋଗେଶ ରାଓ୍ବତ ଅନ୍ୟତମ। ସେ ପରିବେଶ ସଂରକ୍ଷଣ ଲାଗି ଏକ ଗଛ ବ୍ୟାଙ୍କ ଖୋଲିଛନ୍ତି। ଆପଣ ଯଦି ପରିବେଶପ୍ରେମୀ ଓ ଶସ୍ତାରେ ଗଛ ନେଇ ତାହାକୁ ରୋପଣ କରିବାକୁ ଚାହୁଁଛନ୍ତି ତେବେ ଗାଜିଆବାଦର ଇନ୍ଦିରାପୁରମସ୍ଥିତ ଶିପ୍ରା ସନସିଟି ସୋସାଇଟିର ଶିବ ମନ୍ଦରି ପରିସରରେ ଥିବା ଏହି ଗଛ ବ୍ୟାଙ୍କକୁ ଯାଆନ୍ତୁ। ଗଛ ନେଇ ବ୍ୟାଙ୍କର ଏକ କିଲୋମିଟର ପରିଧିରେ ତାହାକୁ ଲଗାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ନିଜେ ଗଛର ରକ୍ଷଣାବେକ୍ଷଣ କରିପାରିବେ ତେବେ କୌଣସି ଦେୟ ଦେବାକୁ ପଡିବନାହିଁ। ରକ୍ଷଣାବେକ୍ଷଣ ନ କଲେ ବ୍ୟାଙ୍କରେ ଏକକାଳୀନ ୧୦୦ ଟଙ୍କା ଜମା କରିବାକୁ ପଡିବ। ଗଛକୁ ଖତ, ପାଣି, ସାର ଦେଇ ବଢାଇବା ଦାୟିତ୍ୱ ବ୍ୟାଙ୍କର। ଯୋଗେଶ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ହାଥରାସ ଜିଲା ଖୋରନା ଗାଁରେ ରହୁଛନ୍ତି। ସେ ଗତ କିଛି ବର୍ଷ ହେବ ଶିପ୍ରା ସନସିଟି ଆଖପାଖ ଅଞ୍ଚଳରେ ଦେଢ ହଜାରରୁ ଅଧିକ ଗଛ ଲଗାଇ ସାରିଛନ୍ତିି। ଯୋଗେଶ ସ୍ଥାନୀୟ ଲୋକମାନଙ୍କୁ ଏଥିରେ ସାମିଲ କରିବା ସହ ସେମାନଙ୍କୁ ଶ୍ରମଦାନ କରିବାକୁ ପ୍ରେରଣା ଦେଉଛନ୍ତି। ସେ ଏବେ ୫୧ଟି ଗଛକୁ ନେଇ ବ୍ୟାଙ୍କ ଆରମ୍ଭ କରିଛନ୍ତି ଓ ଆଗକୁ ୫୦୦ ଗଛ ରଖିବା ଲାଗି ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଯୋଗେଶ ରାସ୍ତାକଡ, ପାର୍କ ଓ ଅନ୍ୟ ସ୍ଥାନଗୁଡିକରେ ଉଠିଥିବା ଗଛଗୁଡିକୁ ଆଣି ବ୍ୟାଙ୍କରେ ଜମାଉଛନ୍ତି। ବ୍ୟାଙ୍କରେ ନିମ୍ବ, ଜାମୁ, ଅଶ୍ୱତ୍‌ଥ, ବର, ଡିମ୍ବିରି, ମୁଲ୍‌ବେରୀ, କାଞ୍ଚନ, ଟଗର, ମନ୍ଦାର, ତୁଳସୀ, କଦଳୀ, ଘିକୁଆଁରୀ, ଅଶ୍ୱଗନ୍ଧା ଆଦି ଗଛ ରଖିଛନ୍ତି। ଯଦି କେହି ରୁଦ୍ରାକ୍ଷ, ଚନ୍ଦନ, ମହୁଲ, କାଠଜାତୀୟ ଗଛର ମଞ୍ଜି ଦାନ କରନ୍ତି ତେବେ ସେଥିରୁ ଗଛ ଉତାରିବେ ବୋଲି ସେ କହିଛନ୍ତି । ପରବେଶ ସଂରକ୍ଷଣ ପ୍ରତି ସଚେତନତା ଆଣିବା ଲାଗି ୨୧ଟଙ୍କାରେ ବ୍ୟାଙ୍କରୁ ଗଛ ଦିଆଯାଉଛି।