ଏଇ ଭାରତରେ

ପାଇଖାନା ନିର୍ମାଣ ହୋଇଛି ୫୦୦ ଏବଂ ୧ ଲିଟର ବିଶିଷ୍ଟ ୮,୦୦୦ରୁ ଅଧିକ ଅଦରକାରୀ ପ୍ଲାଷ୍ଟିକ ବୋତଲରେ। ଏହା ବିଶ୍ୱାସ କରିହେଉ ନ ଥିଲେ ବି ସତ। ଆସାମର ଆଇଏଏସ୍‌ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ଏମ.ଏସ୍‌ ଏମିତି ପାଇଖାନା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ବେଙ୍ଗାଇଗାଓଁ ଜିଲାର ଡେପୁଟି କମିଶନର ତଥା ୨୦୧୪ ବ୍ୟାଚ୍‌ ଆଇଏଏସ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ପବ୍ଲିକ ହେଲ୍‌ଥ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ( ପିଏଚ୍‌ଇଡି)ର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଶାନ୍ତନୁ ସୂତ୍ରଧରଙ୍କ ସହଯୋଗରେ ଏହା ନିର୍ମାଣ କରିଛନ୍ତି। ଏହି ବୋତଲଗୁଡ଼ିକରେ ବାଲି, ସିମେଣ୍ଟ, ପୁଟି ଏବଂ ମୋର୍ଟାର ଭର୍ତ୍ତି କରାଯାଉଛି ଓ ସେଗୁଡ଼ିକ ଟାଣହେବା ପରେ ଇଟାର ବିକଳ୍ପ ଭାବେ ବ୍ୟବହାର ହେଉଛି। ୧୭ ଫୁଟ ଲମ୍ବା ଓ ୯ ଫୁଟ ଚଉଡ଼ାରେ ନିର୍ମିତ ଏହି ପାଇଖାନାର କାନ୍ଥ ଏବଂ ସିଲିଂ ପ୍ଲାଷ୍ଟିକ ବୋତଲରେ ଗଢ଼ାହୋଇଛି। ପାଇଖାନାକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ୧୦ଫୁଟରେ ୮ଫୁଟର ଏକ ପାଇଖାନା ନିର୍ମାଣ କରିବା ପାଇଁ ୪ ହଜାର ପ୍ଲାଷ୍ଟିକ ବୋତଲ ଆବଶ୍ୟକ ଓ ଏହାକୁ ନିର୍ମାଣ କରିବା ପାଇଁ ଦେଢ଼ରୁ ଦୁଇ ମାସ ସମୟ ଲାଗିବ ବୋଲି କହିଛନ୍ତି ଲକ୍ଷ୍ମୀପ୍ର୍ରିୟା।