ଏଇ ଭାରତରେ

ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିଥିବା ପିଲାଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ କିମ୍ବା ବ୍ୟକ୍ତି ପୁରସ୍କୃତ କରିଥାନ୍ତି। କିନ୍ତୁ ଫେଲ୍‌ ହୋଇଥିବା ପିଲାଙ୍କୁ ପୁରସ୍କାର କି ଉପହାର ଦେବା କଥା କେବେ ଶୁଣିଛନ୍ତି ! ହେଲେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେରଳରେ। ନିକଟରେ କେରଳରେ ଦଶମ ଶ୍ରେଣୀ ପିଲାଙ୍କ ରେଜଲ୍ଟ ବାହାରିଥିବାରୁ ଏକ ଭିନ୍ନ ଢଙ୍ଗରେ ସ୍ବତନ୍ତ୍ର ଅଫର୍‌ ଦେଇଛନ୍ତି କେରଳ ଚେତିୟାର ପାର୍କ ନିକଟରେ ଥିବା ଏକ ହୋଟେଲ ମାଲିକ କେ. ସୁଧୀଶ। ସେ କହିଛନ୍ତି ଯେଉଁ ପିଲାମାନେ ପରୀକ୍ଷାରେ ଫେଲ୍‌ ହୋଇଛନ୍ତି ସେମାନେ ତାଙ୍କ ହୋଟେଲରେ ମାଗଣାରେ ରହିବାର ସୁଯୋଗ ପାଇପାରିବେ। ସୁଧୀଶ ହୋଟେଲ ମ୍ୟାନେଜମେଣ୍ଟ କରିବା ପରେ ୨୦୦୩ ମସିହାରେ ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ସେ ଦଶମ ଫେଲ୍‌ ହୋଇଥିବା ପିଲାଙ୍କ ପାଇଁ ଫେସ୍‌ବୁକ୍‌ରେ ଏଭଳି ଏକ ଅଫର୍‌ ଦେଇଛନ୍ତି। ତାଙ୍କର ଏହି ଅଫର୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରୀକ୍ଷାରେ ଫେଲ୍‌ ହୋଇଯିବା ପରେ ପିଲାମାନେ ଡିପ୍ରେସନର ଶିକାର ହୋଇ କିଭଳି ଭାବେ ନିଜ ଜୀବନକୁ ନଷ୍ଟ କରି ଦେଇଛନ୍ତି ସେ ବିଷୟରେ କେତେଜଣଙ୍କ ଉଦାହରଣ ଶୁଣିଥିଲେ। ଏହାପରେ ସେ ଏଭଳି ଏକ ନିଷ୍ପତ୍ତି ନେଇ ହୋଟେଲରେ ରହିବା ପାଇଁ ଅଫର୍‌ ଦେଇଛନ୍ତି। ଏହି ଅଫର୍‌ ବିଷୟରେ ଜାଣିବା ପରେ ଫେଲ୍‌ ହୋଇଥିବା ପିଲାମାନେ ଡିପ୍ରେସନରୁ କିଛି ମାତ୍ରାରେ ମୁକୁଳି ପାରିବେ ବୋଲି ସେ ବିଶ୍ୱାସ ରଖିଛନ୍ତି।