ଏଇ ଭାରତରେ

ମେଡିକାଲରେ ରୋଗୀର ଜୀବନ ବଞ୍ଚାଉଥିବା ସାଲାଇନ ବୋତଲରେ ଗଛର ଜୀବନ ବଞ୍ଚାଉଛନ୍ତି ମଧ୍ୟପ୍ରଦେଶର ରୋତଲା ଗାଁର କୃଷକ ରମେଶ ବରିୟା। ମରୁଡି ଯୋଗୁ ରାଜସ୍ଥାନ କି ଗୁଜରାଟକୁ ଦାଦନ ଖଟିବାକୁ ଯାଉଥିବା ରମେଶ ଏବେ ଜଣେ ଆଗଧାଡ଼ିର କୃଷକ। ସେ ବର୍ଜ୍ୟ ସାଲାଇନ ବୋତଲରେ ସିଞ୍ଚନ ପଦ୍ଧତିରେ ଜଳସେଚନ କରି ପରିବା ଚାଷ କରିବା ସହ ବର୍ଜ୍ୟବସ୍ତୁର ପୁନଃ ବିନିଯୋଗ କରିପାରିଛନ୍ତି। ଏହି ପଦ୍ଧତିରେ ସଫଳ ହେବା ପରେ ରମେଶ ମରୁଡି ପ୍ରବଣ ତଥା ଆଦିବାସୀ ବହୁଳ ଝାବୁଆ ଜିଲାକୁ ଜଳସେଚନର ନୂଆ ବାଟ ଦେଖାଇଛନ୍ତି। ପ୍ରତିଦିନ ସବୁ ଗଛ ପାଖରେ ଏକ ସାଲାଇନ ବୋତଲରେ ଦୁଇଟି ଡ୍ରମରୁ ପାଣି ଭର୍ତ୍ତିକରନ୍ତି। ଏହି କାର୍ଯ୍ୟରେ ତାଙ୍କ ପରିବାରର ସମସ୍ତେ ଲାଗିଯାଆନ୍ତି। ପ୍ରତ୍ୟେକ ଗଛ ଦିନକୁ ୨ ଲିଟର ପାଣି ପାଉଛି। ସବୁ ବୋତଲ ଓ ଡ୍ରମ ବାବଦରେ ଖର୍ଚ୍ଚ କରିଛନ୍ତି ୫୦୦ ଟଙ୍କା । ପ୍ରଥମ ବର୍ଷ ଏହି ପଦ୍ଧତିରେ ଜଳସେଚନ କରି ଗୋଟିଏ ଫସଲରୁ ୨୫,୦୦୦ ଟଙ୍କା ରୋଜଗାର କରିଥିଲେ। କୃଷିଋଣରେ ବୁଡି ଦିନକୁ ମାତ୍ର ୫ଟଙ୍କା ରୋଜଗାର କରୁଥିବା ଏହି ଚାଷୀ ଜଣକ ଏବେ ବର୍ଷକୁ ୨ ଲକ୍ଷ ଟଙ୍କା ପାଉଛନ୍ତି। କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କ ପରାମର୍ଶ କ୍ରମେ ସେ ଏଭଳି ଜଳସେଚନ ପଦ୍ଧତି ଆପଣାଇଛନ୍ତି। ରମେଶଙ୍କ ଭଳି ଆଦିବାସୀ କୃଷକମାନେ ଏକ ହେକ୍ଟର ଜମିରୁ ୧.୫ ରୁ ୧,୭ ଲକ୍ଷ ଟଙ୍କା ରୋଜଗାର କରିପାରିବେ ବୋଲି ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ଏଗ୍ରିକଲ୍‌ଚର ରିସର୍ଚ୍ଚ( ଆଇସିଏଆର) ପ୍ରକାଶ କରିଛି। ମଧ୍ୟପ୍ରଦେଶ କୃଷି ବିଭାଗ ତାଙ୍କୁ ୧୦,୦୦୦ ଟଙ୍କା ପୁରସ୍କାର ମଧ୍ୟ ପ୍ରଦାନ କରିଛି।