ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଚାକିରି ହରାଇ ସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ପୁଣେର ଅନିତା ଗୋସାଭି। ସେ ପୁଣେ, ନାସିକ ଏବଂ ଲାଟୁର ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଆରମ୍ଭ କରି କୋଭିଡ୍‌ ପୀଡ଼ିତଙ୍କୁ ହସ୍ପିଟାଲ ନେବା ଆଣିବା କରୁଛନ୍ତି। ୪୧ ବର୍ଷୀୟା ଅନିତା ଏକ ସ୍କୁଲ ବସ୍‌ରେ ସହାୟିକା ଭାବେ କାର୍ଯ୍ୟ କରୁଥିତ୍ଲେ। କୋଭିଡ୍‌-୧୯ ଯୋଗୁ ଚାକିରି ହରାଇବା ପରେ ଏଭଳି ସେବା ଯୋଗାଇ ଦେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଦିନ ରାତି ଯେତେବେଳେ ଯିଏ ଖୋଜିଲେ ନିଜେ ଆମ୍ବୁଲାନ୍ସ ଚଲାଇ ସେଠାରେ ପହଞ୍ଚି ଯାଉଛନ୍ତି। ଏବେ ସୁଦ୍ଧା ଅନିତା ୬୦ ଜଣ କୋଭିଡ୍‌ ପୀଡ଼ିତଙ୍କୁ ହସ୍ପିଟାଲ ନେବା ଆଣିବା କରିବା ସହ ୧୬୦ ମୃତଦେହ ଶ୍ମଶାନକୁ ନେଇ ସାରିଲେଣି। କେବଳ ଏତିକି ନୁହେଁ ଯେଉଁ ମୃତଦେହକୁ ପରିବାର ଲୋକେ ଛାଡି ଚାଲିଯାଆନ୍ତି ସେ ତାହାର ଦାହ କରୁଛନ୍ତି। ଏମିତି କି ଅନେକ କ୍ଷେତ୍ରରେ ରାତିରେ ସେ ଶ୍ମଶାନରେ ରହି ଉକ୍ତ କାର୍ଯ୍ୟ ସମ୍ପାଦନ କରିିଛନ୍ତି। ଆମ୍ବୁଲାନ୍ସ ସେବା ସେ ୨୦୨୦ ସେପ୍ଟେମ୍ବରରୁ ଆରମ୍ଭ କରିଥିଲେ। ପରିବାରେ ଚଳାଇବା ଦାୟିତ୍ୱ ତାଙ୍କ ଉପରେ ଥିଲେ ମଧ୍ୟ ସେ କେବେ ବି କୋଭିଡ୍‌ ପୀଡ଼ିତଙ୍କୁ ନେବା ଆଣିବାରେ ହେଳା କରିନାହାନ୍ତି।